ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କର୍ମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ ନେଇ ଗୁରୁତର ୨ ବିଜେପି କର୍ମୀଙ୍କ ବୟାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହି ମାମଲାରେ ବୁର୍ଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ହାଇୱା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିଲା । ପଚରାଉଚରା ବେଳେ ଡ୍ରାଇଭର ଦେଇଥିବା ବୟାନ ଶୁଣି ଏବେ ପୋଲିସର ଅକଲ ଗୁଡୁମ ହୋଇଯାଇଛି ।
ଦୁର୍ଘଟଣା ନେଇ ପଚାରିବାରୁ ଡ୍ରାଇଭର ଜଣଙ୍କ ସିଧାସଳଖ କହିଥିଲେ ଯେ, ‘ଇଚ୍ଛା ହେଲା ମାରିଦେଲି’ । ତେବେ ଚାଳକଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହତ୍ୟାକାଣ୍ଡ ସେ ନିଜେ କରିଛନ୍ତି ନା ତା ପଛରେ ଆଉ କାହାର ହାତ ଅଛି ସେ ନେଇ ଏବେ ଅଧିକ ତଦନ୍ତ ଚଳାଇଛି ପୋଲିସ ।
ସୂଚନାଯୋଗ୍ୟ, ଗତକାଲି କୌଣସି କାରଣ ବସତଃ ଭୁବନେଶ୍ଵର ଯାଇଥିଲେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ । ଭୁବନେଶ୍ଵରରୁ ସେମାନେ ଟ୍ରେନରେ ସମ୍ବଲପୁର ଫେରିଥିଲେ । ରେଳ ଷ୍ଟେସନରେ ଓହ୍ଲାଇ ଏକ କାର୍ ଯୋଗେ ସେମାନେ ଗାଁକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ତେବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବିଜେପି କର୍ମୀମାନଙ୍କ କହିବା ଅନୁସାରେ ଉକ୍ତ ହାଇୱାଟି ତାଙ୍କ ଗାଡ଼ିକୁ ବାରମ୍ୱାର ଧକ୍କା ଦେଇଥିଲା। ଡ୍ରାଇଭରକୁ ଗାଡ଼ି ସ୍ପିଡ୍ କରିବାକୁ କହିଥିଲୁ। ଏହା ସତ୍ତ୍ୱେ ବି ଗାଡ଼ି ପିଟିଦେଲା । ଥରେ ଧକ୍କା ଦେଇଥିଲା ଗାଡ଼ି। ୧୦୦-୨୦୦ ମିଟର ପରେ ପୁଣି ଥରେ ଧକ୍କା ହେଲା। ତେଣୁ କେହି ଜାଣିଶୁଣି ଧକ୍କା ଦେଇଥିଲା ବୋଲି ଅଭିଯୋଗ କରିଥିଲେ ଉକ୍ତ କର୍ମୀ ।