Latest Odisha News

ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପାଇଁ ବିଏମସି ଲାଗୁ କଲା ‘ନୋ ୱାର୍କ ନୋ ପେ’ ନୀତି

ଭୁବନେଶ୍ୱର: ସମୟାନୁବର୍ତ୍ତୀତା ପରିବେଶ ସୃଷ୍ଟି କରିବା ଏବଂ କାର୍ଯ୍ୟ ଦକ୍ଷତା ବଜାୟ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି। ବିଏମସି କାର୍ଯ୍ୟାଳୟକୁ ୧୫ ମିନିଟ୍ ରୁ ଅଧିକ ବିଳମ୍ବରେ ଆସୁଥିବା ଯେକୌଣସି କର୍ମଚାରୀଙ୍କୁ ଅନୁପସ୍ଥିତ ଏବଂ ‘ନୋ ୱାର୍କ ନୋ ପେ’ ନୀତି ଅଧୀନରେ ରଖାଯିବ ବୋଲି ନିଗମ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

ବିଏମସିର ଏହି ନିଷ୍ପତ୍ତି ଓଡ଼ିଶା ସରକାରଙ୍କ ୫-ଟି ଭିତ୍ତିଭୂମିରୁ ଆସିଛି। ଯେଉଁଥିରେ ସରକାରୀ କାର୍ଯ୍ୟରେ ସମୟୋପଯୋଗୀତା ଉପରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟଗୁଡ଼ିକର ଦକ୍ଷ ପରିଚାଳନା ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନ ସୃଷ୍ଟି କରିବା ପାଇଁ ସରକାରୀ କାର୍ଯ୍ୟ ସମୟ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଏମସି ବିଶ୍ୱାସ କରେ ।

ଏହାକୁ ସୁନିଶ୍ଚିତ କରିବା ପାଇଁ ବିଏମସି ପକ୍ଷରୁ ପ୍ରତି କାର୍ଯ୍ୟଦିବସରେ କର୍ମଚାରୀମାନେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି।

ରେଗୁଲାର, ଡିଏଲଆର, ସିଏଲଆର, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ ଏବଂ ପରାମର୍ଶଦାତାଙ୍କ ସମେତ ସମସ୍ତ କର୍ମଚାରୀ ସକାଳ ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ। ପୂର୍ବାହ୍ନ ସାଢ଼େ ୧୦ଟା ପରେ ବିଳମ୍ବ ହେଲେ ଅନଧିକୃତ ଅନୁପସ୍ଥିତି ବୋଲି ବିବେଚନା କରାଯିବ ଏବଂ ସେହି ଦିନର ଦରମା କଟିବ।

ବିଏମସି କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱ ସୃଷ୍ଟି କରିବା, ନିର୍ଦ୍ଧାରିତ ଅଫିସ କାର୍ଯ୍ୟ ସମୟକୁ ପାଳନ କରିବା ଏବଂ ନିଜ ଦାୟିତ୍ୱକୁ ପ୍ରଭାବଶାଳୀ ଭାବରେ ନିର୍ବାହ କରିବା ସୁନିଶ୍ଚିତ କରିବା ଏହି କଠୋର ପଦକ୍ଷେପର ଲକ୍ଷ୍ୟ ରଖି ବିଏମସି ଏଭଳି ଏକ ନିଷ୍ପତ୍ତି ନେଇଛି ବୋଲି କହିଛି।

Comments are closed.