ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି କରୋନା । ବିଏମସି ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ବିଏମସି ଅଞ୍ଚଳରୁ ଚିହ୍ନଟ ସଂକ୍ରମିତ ସଂଖ୍ୟାରେ ଏହା ସର୍ବାଧିକ । ନଭେମ୍ବର ୨୮ରେ ବିଏମସି ଅଞ୍ଚଳରୁ ସର୍ବାଧିକ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ପରେ ଡିସେମ୍ବର ମାସରୁ ସଂକ୍ରମଣ ମାମଲା ଖସିଥିଲା ।
Update on newly detected #COVID19 cases in the last
24 hrs under the BMC area on 5th Apr (till 9am). pic.twitter.com/LtYmt840Rz— BMC (@bmcbbsr) April 5, 2021
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବିଏମସି ଅଞ୍ଚଳରୁ ୭୫ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୩ଟି ମାମଲା କ୍ୱାରେଣ୍ଟାଇନରୁ ଆସିଛି । ବିଏମସି ଦେଇଥିବା ସୂଚନା ପ୍ରକାରେ ଅବଶିଷ୍ଟ ୬୨ଟି ପଜିଟିଭ୍ ମାମଲା ସ୍ଥାନୀୟ ସଂକ୍ରମଣ । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।
ସ୍ଥାନୀୟ ସଂକ୍ରମଣ ମାମଲାରେ ନୟାପଲ୍ଲୀରୁ ସର୍ବାଧିକ ୮ ଜଣ, ଖଣ୍ଡଗିରିରୁ ୭ ଜଣ, ରସୁଲଗଡ଼ରୁ ୪ ଜଣ, ସୁନ୍ଦରପଦାରୁ ୩ ଜଣ, ୟୁନିଟ୍-୮ରୁ ୩ ଜଣ, ଓଲ୍ଡ ଟାଉନରୁ ୩ ଜଣ ସଂକ୍ରମିତ ରହିଛନ୍ତି । ଏଯାବତ୍ ବିଏମସି ଅଞ୍ଚଳରୁ ୩୨ ହଜାର ୭୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧ ହଜାର ୯୭୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ୪୮୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବିଏମସି ।
Comments are closed.