Latest Odisha News

ଘରେ ପୋଷା କୁକୁର ରଖିବା ନେଇ ଖୁବଶୀଘ୍ର ବିଏମସି ଆଣିବ ଗାଇଡଲାଇନ୍

ଭୁବନେଶ୍ୱର: ନିକଟରେ ରାଜଧାନୀ ଉପକଣ୍ଠରେ ଥିବା ତପସ୍ୱିନୀ କଲୋନୀରେ କୁକୁର ରଖିବାକୁ ନେଇ ବିବାଦ ଦେଖାଦେଇଛି। ଏକ ଆମେରିକା ପ୍ରଜାତିର ପୋଷା କୁକୁର ଜଣେ ସ୍କୁଲ ଛାତ୍ରଙ୍କୁ କାମୁଡି ଲହୁଲୁହାଣ କରିବା ପରେ ଏହାକୁ ନେଇ କଲୋନୀରେ ବିବାଦ ଦେଖାଦେଇଛି। ମାମଲା ଥାନାରେ ଯାଇ ପହଞ୍ଚିଛି।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ଗାଇଡ ଲାଇନ୍ ଆଣିବାକୁ ଯାଉଛି। ଯେପରି ଏଭଳି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ କିମ୍ବା ଜଣଙ୍କ ପୋଷା କୁକୁର ପାଇଁ ଆଉ ଜଣେ ପରିବାର ଅଡୁଆରେ ନପଡିବା ସେଥିପ୍ରତି ଗୁରୁତ୍ବ ଦେଇଛି ବିଏମସି।

ଆନିମଲ ଓ୍ବେଲଫେୟାର ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ଼, ବେଙ୍ଗାଲୁରୁ ଏବଂ କୋଚି ଭଳି ବିଭିନ୍ନ ସହରରେ ଗୃହପାଳିତ ପଶୁଙ୍କୁ ରଖିବା ନେଇ ଗାଇଡଲାଇନ ରହିଛି। ଏହି ଶୈଳୀରେ ରାଜଧାନୀରେ ମଧ୍ୟ ଏକ ଗାଇଡଲାଇନ୍ ବିଏମସି ଆଣିବ ବୋଲି ସୂଚନା ରହିଛି।

ବିଏମସି କମିସନର୍ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ କୁକୁର, ଗାଈ ସମେତ ଗୃହପାଳିତ ପଶୁ ପାଳିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ବିଏମସି ଖୁବ୍ ଶୀଘ୍ର ଏକ ଗାଇଡଲାଇନ୍ ଆଣିବ। ଗୃହପାଳିତ ପଶୁ ପାଳିବା ପାଇଁ ଘର ଭିତରେ ପର୍ଯାପ୍ତ ସ୍ଥାନ ରହିବା ଦରକାର। ଯେପରି ପଡୋଶୀ କିମ୍ବା ଆଉ କାହାରି ଅସୁବିଧା ସୃଷ୍ଟି କରୁନଥିବେ।

ବିଏମସିର ଟିମ୍ ଏ ନେଇ ଆବଶ୍ୟକ ପଡିଲେ ଅଚାନକ ଯାଞ୍ଚ କରିବେ। ଯେଉଁମାନେ ଏହି ନୂଆ ଗାଇଡଲାଇନକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଲାଙ୍ଗେ କହିଛନ୍ତି।

ଜଣେ କୁକୁର ପ୍ରେମୀ କହିଛନ୍ତି, କୁକୁର ଓ ଅନ୍ୟାନ୍ୟ ଜୀବଜନ୍ତୁ ଆମର ବନ୍ଧୁ। ଆମେ ଚାହୁଁଛୁ ଯେ ସଚେତନତା ସୃଷ୍ଟି କରାଯାଉ ଏବଂ ସମସ୍ତଙ୍କ ସହଯୋଗରେ ଏମାନେ ମଧ୍ୟ ମଣିଷଙ୍କ ଭଳି ରୁହନ୍ତୁ।

Comments are closed.