Latest Odisha News

ଜଳଭଣ୍ଡାର ମଝିରେ ଫସିଲା ଦେଶୀ ଡଙ୍ଗା, ଅଳ୍ପକେ ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

ନବରଙ୍ଗପୁର : ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୭ ଜଣ ଯାତ୍ରୀ ।ଦେଶୀ ଡଙ୍ଗାରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାର ହେବା ସମୟରେ ପବନ ଯୋଗୁଁ ଜଳଭଣ୍ଡାର ଭିତରେ ଫସିଯାଇଥିଲା ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିବା ୭ ଜଣ ଯାତ୍ରୀଙ୍କୁ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି ।ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର ବ୍ୟକ୍ତି ମାନଙ୍କୁ ସେମାନଙ୍କ ଗ୍ରାମ ତଲଙ୍ଗକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି ।  ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚଗାଁ ପଂଚାୟତ ଅନ୍ତର୍ଗତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ତଲଙ୍ଗ ଗ୍ରାମ । ୩ଜଣ ନାବାଳକ କୁ ମିଶାଇ ମୋଟ ୭ଜଣ ଯାତ୍ରୀ ସେଠାରୁ ଏକ ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସହରକୁ କୌଣସି କାର୍ଯ୍ୟରେ ଆସିଥିଲେ ।

କାମ ସାରି ସନ୍ଧ୍ୟା ସମୟରେ ବାରିଆଘାଟ ଘାଟରୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଦେଇ ତଳଙ୍ଗ ଅଭିମୁଖେ ଯାତ୍ରା କରୁଥିଲେ l ଯାତ୍ରା ସମୟରେ ହଠାତ ପବନ ଆରମ୍ଭ ହେବାରୁ ଜଳ ଭଣ୍ଡାର ମଝିରେ ଡ଼ଙ୍ଗାଟି ଭରସାମ୍ୟ ହରେଇଥିଲା ଏବଂ ଡଙ୍ଗାରେ ପାଣି ପଶିବା ଆରମ୍ଭ ହୋଇଥିଲା l ଫଳରେ ଡ଼ଙ୍ଗା ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲା l ତେବେ ନାଉରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ l

ଖବର ପାଇଁ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ଘଟଣାସ୍ଥଳରେ ପହଂଚିଥିଲେ । ଦେଶୀ ଡ଼ଙ୍ଗା ଭିତରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପାଣି ଭର୍ତି ହୋଇଥିବା ଦେଖି ତୁରନ୍ତ ସେଠାରେ ଥିବା ୭ଜଣ ବ୍ୟକ୍ତି ଓ ୩ଟି ସାଇକଲ ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଉଦ୍ଧାର କରିଥିଲେ l  ବୋଟ ଆମ୍ବୁଲାନ୍ସ କର୍ମଚାରୀ ସଠିକ ସମୟରେ ଘଟଣା ସ୍ଥଳରେ ପହଁଚି ଥୁବାରୁ ଏକ ବଡ଼ ଅଘଟଣରୁ ସାତ ଜଣ ଯାତ୍ରୀ ବର୍ତ୍ତୀ ଯାଇଛନ୍ତି । ଏକ ବଡ଼ ଅଘଟଣରୁ ବର୍ତ୍ତୀ ଯାଇଥିବା ସମସ୍ତ ଯାତ୍ରୀ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Comments are closed.