କଟକ: କଟକ ସହରରୁ ନିଖୋଜ ହୋଇଥିବା କ୍ୟାବ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, କଟକ ମାଲଗୋଦାମ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ଟ୍ୟାକ୍ସି ମାଲିକ ରାଜ କିଶୋର ବିଶ୍ୱାଳ। ସେ କହିଥିଲେ ଯେ କ୍ୟାବ୍ ଚାଳକ ଭଗବାନ ବୈରୀଗଞ୍ଜନ ଗତ 23 ତାରିଖରେ ତିନି ଜଣ ଯାତ୍ରୀଙ୍କୁ କଟକରୁ ଯାଜପୁର ନେଇ ଯାଇଥିଲେ ଏବଂ ସେବେଠାରୁ ନିଖୋଜ ଅଛନ୍ତି।
ପୁଲିସର ଏକ ଟିମ୍ ପ୍ରାଥମିକ ତଦନ୍ତ କରି ବୈରୀଗଞ୍ଜନଙ୍କ ମୋବାଇଲ୍ ଫୋନ୍ର ଲୋକେସନ୍ ଠାବ କରିବାକୁ ଚେଷ୍ଟା କରିଥିଲା। ଏହି ଟିମ୍ ଘସିପୁର ଓ ଘଟଗାଁରେ ବ୍ୟାପକ ଖୋଜାଖୋଜି କରିଥିଲେ ମଧ୍ୟ ବୈରୀଗଞ୍ଜନଙ୍କୁ ପାଇନଥିଲେ।
ଗତ 27 ତାରିଖରେ ଘସିପୁରା ଥାନା ଅନ୍ତର୍ଗତ ଯାଜପୁର-କେନ୍ଦୁଝର ଜାତୀୟ ରାଜପଥ ନିକଟରୁ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଥିବା ନେଇ କେନ୍ଦୁଝର ପୁଲିସ ପକ୍ଷରୁ ଟିମ୍କୁ ସୂଚନା ଦିଆଯାଇଥିଲା। ପରେ ଶବଟି ବୈରିଗଞ୍ଜନଙ୍କ ବୋଲି ଜଣାପଡ଼ିଥିଲା। ଶବ ବ୍ୟବଛେଦ ପରେ ବୈରିଗଞ୍ଜନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ କହିଛନ୍ତି, ଗତ 23 ତାରିଖରେ କଟକ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଯାଜପୁରକୁ କ୍ୟାବ୍ ଭଡ଼ାରେ ନେଇଥିଲେ। ସିସିଟିଭି ଫୁଟେଜ୍ ଓ କ୍ୟାବ୍ ଭଡା ନେଇଥିବା ବ୍ୟକ୍ତିଙ୍କ ଫଟୋ ଜବତ କରିଛି ପୋଲିସ।
କଟକ ନିଆଳି ନିକଟ ଗୋବିନ୍ଦପୁର ଗାଁରୁ ଏହି ପରିତ୍ୟକ୍ତ କ୍ୟାବ୍ ଉଦ୍ଧାର ହୋଇଛି। ଏ ନେଇ ବୈରୀଗଞ୍ଜନଙ୍କ ପରିବାର ଘସିପୁର ଥାନାରେ ଏଫ୍ଆଇଆର୍ ଦେବା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
Comments are closed.