Latest Odisha News

BREAKING NEWS

ନାଇଜେରିଆ; ଆତଙ୍କୀ ହମ୍‌ଲାରେ ବଳି ପଡ଼ିଲେ ୧୧୦ ସାଧାରଣ ନାଗରିକ

ନୂଆଦିଲ୍ଲୀ: ନାଇଜେରିଆରେ ଏକ ବଡ଼ ଆତଙ୍କବାଦୀ ହମ୍‌ଲାରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ କୃଷକ ଏବଂ ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ ଅଛନ୍ତି। ହତ୍ୟା କରିବା ପରେ ଆତଙ୍କବାଦୀମାନେ ଲୋକଙ୍କ ମୁଣ୍ଡ କାଟିଦେଇଥିଲେ। ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ବୋକୋ ହରାମ ଦାୟୀ ବୋଲି ଜଣାପଡିଛି।

ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ମୃତକଙ୍କ ପତ୍ନୀ ଏବଂ ଝିଅମାନଙ୍କୁ ମଧ୍ୟ ବାନ୍ଧି ନେଇଥିଲେ। ଏହି ଘଟଣା ନାଇଜେରିଆର ବୋର୍ନୋ ରାଜ୍ୟରେ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମିଳିତ ଜାତିସଂଘର ସଂଯୋଜକ ଏଡୱାର୍ଡ କାଲାନ ନାଇଜେରିଆରେ ୧୧୦ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ଏହି ବର୍ଷ ସବୁଠାରୁ ବଡ ଘଟଣା ବୋଲି ଏଡୱାର୍ଡ କାଲାନ କହିଛନ୍ତି। ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଆବେଦନ କରିଛନ୍ତି।

ମିଳିତ ଜାତିସଂଘର ସଂଯୋଜକ ଏଡୱାର୍ଡ କାଲାନ କହିଛନ୍ତି ଯେ ସଶସ୍ତ୍ର ଆକ୍ରମଣକାରୀମାନେ ମୋଟରସାଇକେଲରେ ଆସିଥିଲେ। ପ୍ରଥମେ କେବଳ ୪୩ ଟି ମୃତଦେହ ମିଳିଥିଲା, କିନ୍ତୁ ପରେ ଆହୁରି ୭୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ଆକ୍ରମଣରେ ସମଗ୍ର ଦେଶ ଆହତ ହୋଇଥିବା ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁଖାରୀ କହିଛନ୍ତି। ଏଥି ସହିତ, ଗତ ମାସରେ ଦୁଇଟି ପୃଥକ ଘଟଣାରେ ବୋକୋ ହରାମ ଦ୍ୱାରା ୨୨ ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.