Latest Odisha News

ବଲାଙ୍ଗିରରେ ପୁଣି ମୁହାଁମୁହିଁ ନେତା-ଅଫିସର, ଏଥର ସାଂସଦ-ପିଡିଡିଆରଡିଏ

ବଲାଙ୍ଗିର:  ବଲାଙ୍ଗିର ଜିଲ୍ଲାରେ ପୁଣି ମୁହାଁମୁହିଁ ହେଲେ ନେତା ଅଫିସର । ଗତ ୧୨ ତାରିଖ ଜିଲ୍ଲା ପରିଷଦ ବୈଠକରେ ଅନୁଦାନ କଟାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଉପରେ ବର୍ଷିଥିଲେ କଣ୍ଟାବାଜିଂ ବିଧାୟକ ସନ୍ତୋଷ ସିଂ ସାଲୁଜା । ୧୮ ତାରିଖରେ  ବି.ଡି.ଓ ଭିକ୍ଟର ସୋରେନଙ୍କୁ ଟ୍ୟୁସନ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ଆଉ ଆଜି ଦିଶା ବୈଠକର ସ୍ଥାନ ପରିବର୍ତ୍ତନକୁ ତାତିଛନ୍ତି ସାଂସଦ ସଙ୍ଗୀତା ସିଂଦେଓ । ପିଡିଡିଆରଡିଏଙ୍କ ଉପରେ ବର୍ଷିଥିଲେ ସାଂସଦ । ଏପରିକି ଜିଲ୍ଲାପାଳଙ୍କ ଉପରେ ମଧ୍ୟ ବର୍ଷିଥିଲେ । ଶେଷରେ ସର୍କିଟ ହାଉସକୁ ସମସ୍ତ ଅଫିସର ଓ ନିର୍ବାଚିତ ପ୍ରତିନିଧିକୁ ଡାକି ଦିଶା ବୈଠକ କରିଥିଲେ ସାଂସଦ ।

ବଲାଙ୍ଗିର  ପଞ୍ଚାୟତର ସାଧନ କେନ୍ଦ୍ରରେ  ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ପହଞ୍ଚି ଦିଶା ବୈଠକ ଏଠି କଣ ପାଇଁ ଡକାଯାଇଛି ବୋଲି ପିଡିଡିଆରଡିଏ ସୁଶାନ୍ତ କୁମାର ସିଂଙ୍କୁ ପଚାରିଥିଲେ । ଏହା ସହିତ ଜିଲ୍ଲାପାଳ ଆସିନଥିବାରୁ ବର୍ଷିଥିଲେ ସାଂସଦ । ଶେଷରେ କନଫେରେନସ ହଲ ଭିତରକୁ ନ ଯାଇ ଚାଲି ଯାଇଥିଲେ ।

ଶେଷରେ ସର୍କିଟ ହାଉସକୁ ସମସ୍ତ ଅଫିସର ଓ ନିର୍ବାଚିତ ପ୍ରତିନିଧିକୁ ଡାକି ଦିଶା ବୈଠକ କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ । ଏଥି ସହିତ ଠିକଠାକ କାମ କରିବା ପାଇଁ ଅଫିସର ମାନଙ୍କୁ ତାଗିଦ କରିଥିଲେ । ହିନ୍ଦି ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରାଯାଉନଥିବାରୁ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପରେ ବର୍ଷିଥିଲେ ସାଂସଦ।

ଅନ୍ୟପକ୍ଷେ କିଛି ବିଜେଡି ସମର୍ଥିତ ବ୍ଲକ ଚେୟାରମ୍ୟାନ, ସାଂସଦ ଅଫିସରମାନଙ୍କୁ ଗାଲିଗୁଲଜ କରୁଥିବା ଅଭିଯୋଗ କରି ବୈଠକ ଅଧାରୁ ଚାଲି ଆସିଥିଲେ । ଏପରିକି ସେମାନଙ୍କ କଥାକୁ ବୈଠକରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଥିଲେ । ଗରମା ଗରମ…ତୁ ତୁ ମେ ମେ ଭିତରେ ସରିଥିଲା ଦିଶା ବୈଠକ ।

ଏ ନେଇ ସାଂସଦଙ୍କୁ ପଚାରିବାରୁ ସେ କାହାକୁ ଖରାପ ବ୍ୟବହାର ଦେଖାଇନଥିବା କହିଛନ୍ତି  । କେନ୍ଦ୍ରୀୟ ଯୋଜନାର ସଠିକ କାର୍ଯ୍ୟକାରୀ କରିବାକୁ ଅଫିସର ମାନେ ବାଧ୍ୟ ବୋଲି କହିଥିଲେ ସାଂସଦ ସଂଗୀତା କୁମାରୀ ସିଂଦେଓ ।

ଏଠି ମନେ ପକାଇ ଦେବାକୁ ଚାହିଁବୁ,  କଣ୍ଟାବାଜିଂ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳଙ୍କ ସହ ମୁହାଁମୁହିଁ ଘଟଣାରେ  ତିନିଦିନ ଧରି ସରକାରୀ ବାବୁ ଓ ଅଧିକାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ । ଏପଟେ ଵିଧାୟକ ଶହ ଶହ ସମର୍ଥକଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ଗତ ୧୮ ତାରିଖ ଦିନ ବେଲପଡା ବ୍ଲକ ସମ୍ମୁଖରେ   ବି.ଡି.ଓ- ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ମୁହାଁମୁହିଁ ହୋଇଥିଲେ । ଆଉ ଆଜି ସାସଂଦଙ୍କର ଏପରି ରୂପ  । ଜିଲ୍ଲାରେ ଏପରି ନେତା-ଅଫିସରଙ୍କ ମୁହାଁମୁହିଁ ଘଟଣା କୁ ନେଇ ସରଗରମ ହେଉଛି ଜିଲ୍ଲା ରାଜନୀତି ।

Comments are closed.