Latest Odisha News

BREAKING NEWS

ଧାନ ନେଉନି ମଣ୍ଡି, ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗିର: ରାଜ୍ୟରେ ଗଞ୍ଜେଇ ଚାଷ ବେଆଇନ୍ । କେହି ଗଞ୍ଜେଇ ଚାଷ କଲେ ପୋଲିସ ହେଉ କି ଅବକାରୀ ବିଭାଗ ଚାଷ ନଷ୍ଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ବଲାଙ୍ଗିରର ଜଣେ ଚାଷୀ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି । ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କୁ । ଅଡ଼ୁଆ ଲାଗୁଥିଲେ ବି ଏ କଥା ସତ ।

ସୂଚନା ଅନୁସାରେ, ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରି ଗାଁର ଚାଷୀ ନିଳାମ୍ବର ବିଶ୍ୱାଳ ଧାନ ଫସଲ କରନ୍ତି । ଏ ବର୍ଷ ବି ଧାନ କରିଥିଲେ । ହେଲେ ନିଳାମ୍ବରଙ୍କ ଅଭିଯୋଗ ମଣ୍ଡିରେ ଧାନ ବିକ୍ରି ଲାଗି ସେ ଆବଶ୍ୟକ ଟୋକନ୍ ପାଇ ନାହାଁନ୍ତି । ୨୦୨୨-୨୩ ଖରିଫ ଋତୁରେ ନିଳାମ୍ବର ୧୫ ଏକର ଜମିରେ ଧାନ ଚାଷ କରିଥିବା ବେଳେ ସ୍ଥାନୀୟ ସମବାୟ ସଂସ୍ଥାରେ ପଞ୍ଜିକରଣ କରିଥିଲେ ।

ତେବେ ନିଳାମ୍ବରଙ୍କୁ ୭୮ କ୍ୱିଣ୍ଟାଲ୍ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା । ଯେତେବେଳେ କି ତାଙ୍କ ଭଣଜା ୫୪ କ୍ୱିଣ୍ଟାଲ୍ ଧାନ ବିକ୍ରି ପାଇଁ ଟୋକନ ପାଇଛନ୍ତି । ନିଳାମ୍ବର ଅଭିଯୋଗ କରିଛନ୍ତି ସମବାୟ ସଂସ୍ଥା ଜାଣିଶୁଣି କରି ଅଧାରୁ ଅଧିକ ଚାଷ ଜମିକୁ ପଞ୍ଜିକରଣ କରି ନାହିଁ ।

ଏନେଇ ନିଳାମ୍ବର ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିବା ବେଳେ ରାଜସ୍ୱ ଅଧିକାରୀ ଜମି ଦେଖି ରିପୋର୍ଟ ଦେଇଥିଲେ । ତଥାପି ଜାନୁଆରୀ ୨ ତାରିଖରୁ ମଣ୍ଡିରେ ତାଙ୍କ ଧାନ ଆଜି ଯାଏ ପଡ଼ି ରହିଥିବା ନିଳାମ୍ବର ଅଭିଯୋଗ କରିଛନ୍ତି । ଧାନ ବିକ୍ରି ହୋଇ ନଥିବାରୁ ତାଙ୍କ ଆର୍ଥିକ ସ୍ଥିତି ଖରାପ ହେଉଥିବା ବେଳେ ସେ ଗଞ୍ଜେଇ ଚାଷ କରି ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଛନ୍ତି ।

Leave A Reply

Your email address will not be published.