ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ନିଜ ଅଭିନୟ ଜରିଆରେ ସେ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ଫିଲ୍ମରୁ ବଲିଉଡ୍ରେ ପାଦ ଥାପିଥିବା ବରୁଣ ‘ଭେଡିଆ’, ‘ସୁଇ ଧାଗା’, ‘ବଦଲାପୁର’ ଏବଂ ‘ବର୍ଡର ୨’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏଯାଏଁ ଆକ୍ସନ ଓ ରୋମାନ୍ସ ଅବତାରରେ ନଜର ଆସିଥିବା ବରୁଣ ଏଥର ଦର୍ଶକଙ୍କୁ ଡରାଇବାକୁ ଆସୁଛନ୍ତି।
ସୂଚନା ଅନୁଯାୟୀ, ବରୁଣ ଧୱନଙ୍କୁ ୟଶରାଜ ଫିଲ୍ମସ୍ (ୱାଇଆରଏଫ୍)ର ପ୍ରଥମ ହରର୍ ଫିଲ୍ମ ମିଳିଛି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ ନିର୍ମାତା ଏହାର ରିଲିଜ୍ ତାରିଖ ସ୍ଥିର କରିସାରିଛନ୍ତି।
ଏହି ହରର୍ ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭୟ ପନ୍ନୁ। ଏହା ପୂର୍ବରୁ ସେ ଲୋକପ୍ରିୟ ୱେବ୍ ସିରିଜ୍ ‘ରକେଟ୍ ବୟଜ୍’ ନିର୍ମାଣ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍ରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ। କେବଳ ନିର୍ଦ୍ଦେଶନା ନୁହେଁ, ଫିଲ୍ମର କାହାଣୀ ମଧ୍ୟ ଅଭୟ ନିଜେ ଲେଖିଛନ୍ତି।
ୟଶରାଜ ଫିଲ୍ମସ୍ର ସିଇଓ ଅକ୍ଷୟ ବିଧାନୀ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇବେ। ତେବେ ବରୁଣଙ୍କୁ ପ୍ରଥମ ଥର ପାଇଁ ହରର୍ ଅବତାରରେ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି ।
ଅଭିନେତା ବରୁଣ ଧୱନଙ୍କର ୟଶରାଜ ଫିଲ୍ମସ୍ ସହ ଏହା ଦ୍ୱିତୀୟ ଫିଲ୍ମ ହେବ। ଏହା ପୂର୍ବରୁ ୨୦୧୮ରେ ସେ ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ସୁଇ ଧାଗା: ମେଡ୍ ଇନ୍ ଇଣ୍ଡିଆ’ରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଦର୍ଶକଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା। ଏବେ ବରୁଣଙ୍କ ଆଗାମୀ ହରର୍ ଫିଲ୍ମକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ଫିଲ୍ମଟି ୨୦୨୮ ମାର୍ଚ୍ଚ ୩୧ରେ ପ୍ରେକ୍ଷାଳୟକୁ ଆସିବ।
