Latest Odisha News

BREAKING NEWS

Hasina’s Return Plan: ହସିନା ଫେରିବା ଖବର ଶୁଣି ଅଥୟ ବାଂଲାଦେଶ! ବୋମା ବିସ୍ଫୋରଣ, ବସ୍‌ରେ ନିଆଁ, ରାସ୍ତା ଅବରୋଧ; ଅଶାନ୍ତ ହେଉଛି ଦେଶ…

ନୂଆଦିଲ୍ଲୀ: ବାଂଲାଦେଶକୁ ପୁଣି ଘାରିଲା ରାଜନୈତିକ ଅସ୍ଥିରତାର ଭୟ। ଦେଶରୁ ନିର୍ବାସିତ ହୋଇ ଭାରତରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବର ସୁଦ୍ଧା ନିଜ ଦେଶକୁ ଫେରିବାକୁ ଯୋଜନା କରୁଥିବା ଖବର ମଧ୍ୟରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କେଉଁଠି ଦେଶୀ ବୋମା ବିସ୍ଫୋରଣ ହେଉଛି ତ ଆଉ କେଉଁଠି ବସ୍ ଓ ଟ୍ରକ୍‌ରେ ନିଆଁ ଲଗାଇ ଦିଆଯାଉଛି। ରାସ୍ତା ଅବରୋଧ ସହ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଘଟୁଛି।

ନଭେମ୍ବର ୧୨ରେ କୁଷ୍ଟିଆର ଏନସିପି ସାଂସଦ ନୁସରତ ତବସୁମଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଆୱାମୀ ଲିଗ୍ କର୍ମୀମାନେ ଘର ଉପରକୁ ନିଆଁ ଲାଗିଥିବା ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏହାର ଦିନକ ପୂର୍ବରୁ ଢାକାରେ ଦୁଇଟି ବସ୍ ଓ ଗୋଟିଏ ଟ୍ରକ୍ ଜାଳି ଦିଆଯାଇଥିବା ବେଳେ ପାବନାରେ ଗ୍ରାମୀଣ ବ୍ୟାଙ୍କର ଏକ ଶାଖାରେ ମଧ୍ୟ ନିଆଁ ଲଗାଯାଇଥିଲା। ନଭେମ୍ବର ୯ ଓ ୧୦ରେ ସାରା ଦେଶରେ ଅତି କମ୍‌ରେ ୨୨ଟି ବୋମା ବିସ୍ଫୋରଣ ଓ ନିଆଁ ଲଗାଇବା ଘଟଣା ଘଟିଥିଲା। ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ଏହି ହିଂସା ଢାକା, ଗାଜିପୁର, ଗୋପାଳଗଞ୍ଜ ଓ ଶରିୟତପୁର ଭଳି ଅଞ୍ଚଳକୁ ବ୍ୟାପିଛି। ନଭେମ୍ବର ୧ରୁ ୮ ମଧ୍ୟରେ କେବଳ ଢାକାରେ ୧୫ଟି ଦେଶୀ ବୋମା ବିସ୍ଫୋରଣ ହୋଇଥିବା ରିପୋର୍ଟ ଆସିଛି। ନଭେମ୍ବର ୭ରୁ ୯ ମଧ୍ୟରେ ୧୯ଟି ବସ୍ ଜାଳିବା ସହ ୨୭ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଫରିଦପୁରରେ ଏକ ବସ୍‌ରେ ନିଆଁ ଲାଗିବାରୁ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିଲା।

ନଭେମ୍ବର ୧୦ରେ ନିଷିଦ୍ଧ ବାଂଲାଦେଶ ଛାତ୍ର ଲିଗ୍ ସାରା ଦେଶରେ ଅବରୋଧ ଡାକରା ଦେଇଥିଲା। ଶରିୟତପୁରରେ ଢାକା-ଭାଙ୍ଗା ଏକ୍ସପ୍ରେସ୍‌ୱେ ଅବରୋଧ କରାଯାଇଥିବା ବେଳେ ଗୋପାଳଗଞ୍ଜରେ ଟାୟାର ଜାଳି ରାସ୍ତା ବନ୍ଦ କରାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବର୍ଡର ଗାର୍ଡ ବାଂଲାଦେଶର ୬ ପ୍ଲାଟୁନ୍ ଯବାନ ମୁତୟନ ହୋଇଥିଲେ।

କେବଳ ରାଜନୈତିକ ଅସନ୍ତୋଷ ନୁହେଁ, ଗାର୍ମେଣ୍ଟ ଶିଳ୍ପର କର୍ମଚାରୀଙ୍କ ଆନ୍ଦୋଳନ ମଧ୍ୟ ବାଂଲାଦେଶରେ ଅଶାନ୍ତି ବଢ଼ାଇଛି। ମାସିକ ସର୍ବନିମ୍ନ ଦରମା ୧୨ ହଜାର ୫୦୦ ଟାକାରୁ ବଢ଼ାଇ ୩୦ ହଜାର ଟାକା କରିବାକୁ ସେମାନେ ଦାବି କରୁଛନ୍ତି। ଢାକା, ଗାଜିପୁର ଓ ସାଭାରରେ ଆନ୍ଦୋଳନ ତୀବ୍ର ହେବାରୁ ଶତାଧିକ କାରଖାନାରେ ଉତ୍ପାଦନ ବନ୍ଦ ରହିଥିଲା। ଏହି ହିଂସା ପଛରେ ନିଷିଦ୍ଧ ଆୱାମୀ ଲିଗ୍‌ର ହାତ ଥିବା ବାଂଲାଦେଶ ସରକାର ଅଭିଯୋଗ କରୁଛନ୍ତି। ନଭେମ୍ବର ୧ରୁ ୭ ମଧ୍ୟରେ ବୋମା ବିସ୍ଫୋରଣ ମାମଲାରେ ୨୧ ଜଣ ଗିରଫ ହୋଇଥିବା ବେଳେ ଆୱାମୀ ଲିଗ୍ ସହ ସମ୍ପର୍କ ଅଭିଯୋଗରେ ଚାଲିଥିବା ଅଭିଯାନରେ ୮୯୮ ଜଣ ଗିରଫ ହୋଇଥିବା ଖବର ଆସିଛି।

ତେବେ କହିରଖୁଛୁ, ୨୦୨୪ ଅଗଷ୍ଟରେ ବାଂଲାଦେଶରେ ବଡ଼ ଧରଣର ଛାତ୍ର ଆନ୍ଦୋଳନ ଓ ହିଂସା ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଭାରତ ଚାଲିଆସିଥିଲେ। ସେବେଠାରୁ ସେ ଭାରତରେ ରହୁଛନ୍ତି। ଚଳିତ ବର୍ଷ ଅଗଷ୍ଟ ୫ରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରବର୍ତ୍ତୀ ସାକ୍ଷାତକାରରେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ଥିବା କହିଥିଲେ।

କିନ୍ତୁ ହସିନାଙ୍କ ଫେରିବା ରାସ୍ତା ସହଜ ନୁହେଁ। ତାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ମାମଲାରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ୨୦୨୫ ନଭେମ୍ବରରେ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲା। ହସିନା ଏହି ରାୟକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହି ଖାରଜ କରିଛନ୍ତି। ତାଙ୍କ ଦଳ ଆୱାମୀ ଲିଗ୍‌କୁ ମଧ୍ୟ ନିଷିଦ୍ଧ କରାଯାଇଛି। ନଭେମ୍ବର ୯ରେ ହସିନାଙ୍କ ଓକିଲମାନେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନରେ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ଢାକା ପକ୍ଷରୁ ଏହି ଅନୁରୋଧକୁ ଖାରଜ କରାଯାଇଛି। ଭାରତ-ବାଂଲାଦେଶ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ହସିନାଙ୍କୁ ଫେରାଇ ଅଣାଯିବା ଉଚିତ ବୋଲି ବାଂଲାଦେଶ କହିଛି।

ତେବେ ଏବେ ହସିନାଙ୍କ ଫେରିବା ପୂର୍ବରୁ ହିଁ ଦେଶରେ ଅଶାନ୍ତି ବଢ଼ିବା ତାରିକ୍ ରହମାନ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ତେବେ ଏହି ହିଂସା ପଛରେ ରାଜନୈତିକ କାରଣ ସହ ଶ୍ରମିକଙ୍କ ଦରମା ଓ ଆର୍ଥିକ ଅସନ୍ତୋଷ ମଧ୍ୟ ରହିଥିବାରୁ ବାଂଲାଦେଶରେ ଆଗକୁ ପରିସ୍ଥିତି କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.