ନ୍ୟୁୟର୍କ: ଅଧିକାଂଶ ଲୋକ ଲାଇବ୍ରେରୀ ଯାଇ ପୁସ୍ତକ ପଡ଼ିବାକୁ ପସନ୍ଦ କରିଥାନ୍ତି । ସେମାନେ ଘରକୁ ମଧ୍ୟ କିଛି ପୁସ୍ତକ ଆଣିଥାନ୍ତି । ଲାଇବ୍ରେରୀରୁ ଆଣିଥିବା ପୁସ୍ତକକୁ ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ଫେରସ୍ତ କରିବାର ନିୟମ ମଧ୍ୟ ରହିଛି । ହେଲେ ନ୍ୟୁୟର୍କର ଜଣେ ବ୍ୟକ୍ତି ଏକ ଲାଇବ୍ରେରୀରୁ ନେଇଥିବା ପୁସ୍ତକକୁ ଇସ୍ୟୁ ହେବାର ଦୀର୍ଘ ୯୦ ବର୍ଷ ପରେ ଫେରସ୍ତ କରିଛନ୍ତି । କେବଳ ସେତିକି ନୁହେଁ, ବିଳମ୍ବ ଜନିତ ଶୁଳ୍କ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
୧୯୨୫ ମସିହାରେ ଜୋସେଫ୍ କନରାଡ୍ଙ୍କ ଲିଖିତ ପୁସ୍ତକ ‘ୟୁଥ୍ ଆଣ୍ଡ ଟୁ ଅଦର ଷ୍ଟୋରିଜ୍’କୁ ୧୯୩୩ ମସିହାରେ ଲାର୍ଚମଣ୍ଟ ପବ୍ଲିକ୍ ଲାଇବ୍ରେରିରୁ ଜଣଙ୍କୁ ଇସ୍ୟୁ ହୋଇଥିଲା । ହେଲେ ସେ ଠିକ୍ ସମୟରେ ପୁସ୍ତକକୁ ଫେରାଇ ନ ଥିଲୋ ଦୀର୍ଘ ୯୦ ବର୍ଷ ପରେ ଉକ୍ତ ପୁସ୍ତକ ଲାଇବ୍ରେରୀକୁ ଫେରାଯାଇଛି । ଆଉ ଏହାର ଫେରାଇବାର ବିଳମ୍ବଜନିତ ଶୁଳ୍କ ମଧ୍ୟ ଆଦାୟ କରାଯାଇଛି ।
ଗତ ଜୁଲାଇ ମାସରେ ଭର୍ଜିନିଆର ଜୋନି ମୋର୍ଗାନ ତାଙ୍କ ସାବତ ବାପାଙ୍କ ଜିନିଷପତ୍ର ମଧ୍ୟରେ ଏହି ପୁସ୍ତକଟିକୁ ପାଇଥିଲେ । ପରେ ଉକ୍ତ ଲାଇବ୍ରେରୀ ସହ ଯୋଗାଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସେପ୍ଟେ୍ଟମ୍ବର ଶେଷରେ ସେ ଏସମ୍ପର୍କରେ ଏକ ମେଲ୍ କରିଥିଲେ ବୋଲି ଲାର୍ଚମଣ୍ଟର ଲାଇବ୍ରେରିଆନ୍ କାରୋଲିନ କନିଙ୍ଗହାମ୍ ଗଣମାଧ୍ୟମକୁ କହିଛନ୍ତି । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ପାଠାଗାର କେବଳ ବିଳମ୍ବ ଶୁଳ୍କ ବାବଦରେ ତାଙ୍କ ଠାରୁ ୫ ଡଲାର ଆଦାୟ କରିଥିଲା । ୧୯୨୬ ମସିହାରେ ଲାର୍ଚମଣ୍ଟ ଲାଇବ୍ରେରି ଖୋଲିବା ପରଠାରୁ ଏହା ବୋଧହୁଏ ସବୁଠାରୁ ଲମ୍ବା ଚେକ୍ ଆଉଟ୍ ବୋଲି ଲାଇବ୍ରେରିଆନ୍ କନିଙ୍ଗହାମ କହିଛନ୍ତି । ଏଥିସହ ଏହା ନିଶ୍ଚିତ ଭାବେ ଆମ ପାଇଁ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି ।
ଲାଇବ୍ରେରିରୁ ପୁସ୍ତକ ନେଇଥିବା ଜିମି ଏଲିସ୍ ତାଙ୍କ ପ୍ରଥମ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଗାଁରେ ରହୁଥିଲେ । ୧୯୭୮ ମସିହାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ସେମାନଙ୍କ ଘର ଲାଚରମଣ୍ଟ ପବ୍ଲିକ୍ ଲାଇବ୍ରେରି ଠାରୁ ପ୍ରାୟ ଦୁଇ ବ୍ଲକ୍ ଦୂରରେ ଥିଲା । ଯେହେତୁ ଜିମି ନିଜେ ଜଣେ ଲେଖକ ଏବଂ ଉତ୍ସାହୀ ପାଠକ ଥିଲେ ତେଣୁ ନିଶ୍ଚିତ ଭାବରେ ସେ ତାଙ୍କ ପୁଅମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରିଥିଲେ । ତେଣୁ ସେମାନେ ସମ୍ଭବତଃ ନିୟମିତ ଭାବରେ ଏହି ଲାଇବ୍ରେରିରୁ ପୁସ୍ତକ ନେଉଥିଲେ ।
ବିଳମ୍ବ ଶୁଳ୍କ ବାବଦରେ ଏତେ କମ୍ ଟଙ୍କା ଆଦାୟ ନିଷ୍ପତ୍ତି ନେଇ ଲାଇବ୍ରେରି ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ଗୋଟିଏ ବହି ବକେୟା ଥିବା ବେଳେ ପୃଷ୍ଠପୋଷକଙ୍କୁ ୨୦ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ୁଛି । କିନ୍ତୁ ସର୍ବାଧିକ ଜରିମାନା ହେଉଛି ୫ ଡଲାର । ୩୦ ଦିନ ପରେ ଲାଇବ୍ରେରି ବହି ଫେରସ୍ତ ନ ହେଲେ ତାହାକୁ ‘ହଜିଯାଇଥିବା’ ବୋଲି ବିବେଚନା କରାଯାଏ ଏବଂ ପୁସ୍ତକର ପ୍ରାରମ୍ଭିକ ମୂଲ୍ୟ ପାଇଁ ପୃଷ୍ଠପୋଷକଙ୍କୁ ବିଲ୍ ଦିଆଯାଏ । କିନ୍ତୁ ପୁସ୍ତକ ଫେରସ୍ତ ଆସିବା ପରେ ଏହା ସର୍ବାଧିକ ୫ ଡଲାର ଜରିମାନାକୁ ଫେରି ଆସିଥାଏ ।
Comments are closed.