Latest Odisha News

BREAKING NEWS

ଆମେରିକାରେ ‘ଫ୍ରିଡମ୍ ରାଇଡ୍ସ’ ଆରମ୍ଭ କରିଥିବା ବ୍ରୁସ୍ କାର୍ଭର ବଏଣ୍ଟନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ୧୯୬୧ ମସିହାରେ ଆମେରିକାରେ ଐତିହାସିକ ‘ଫ୍ରିଡମ୍ ରାଇଡ୍‌ସ’ ଆରମ୍ଭ କରିଥିବା ବ୍ରୁସ୍ କାରଭର ବଏଣ୍ଟନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଲାବାମାର ପୂର୍ବତନ ସିନେଟର ହାନେ ସାଣ୍ଡର୍ସ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।

ଶ୍ୱେତବର୍ଣ୍ଣଙ୍କ ପାଇଁ ପ୍ରସ୍ତୁତ ଏକ ଅଂଶରେ ପ୍ରବେଶ କରିଥିବାରୁ ବଏଣ୍ଟନ୍‌ଙ୍କୁ ୬୦ ବର୍ଷ ପୂର୍ବେ ଭର୍ଜିନିଆର ଏକ ବସ୍ ଷ୍ଟେସନରେ ଗିରଫ କରାଯାଇଥିଲା। ଏହି ଘଟଣା ପରେ ହୋଇଥିବା ବିରୋଧ ଫଳରେ ଦକ୍ଷିଣରେ ଥିବା ‘ଜିମ୍ କ୍ରୋ’ ଆଇନକୁ ହଟାଇବାରେ ସାହାଯ୍ୟ କରିଥିଲା। ‘ଜିମ୍ କ୍ରୋ’ ହେଉଛି ରାଜ୍ୟ ତଥା ସ୍ଥାନୀୟ ଆଇନ ଯାହା ଦକ୍ଷିଣ ଆମେରିକାରେ ଜାତିଗତ ପୃଥକତାକୁ କାର୍ଯ୍ୟକାରୀ କରିଥିଲା। ପରେ ଆମେରିକାର ସୁପ୍ରିମକୋର୍ଟଙ୍କ ଦ୍ବାରା ଏକ ନିଷ୍ପତ୍ତି ହୋଇଥିଲା ଯାହା ବସ୍ ଷ୍ଟେସନ ଭେଦଭାବକୁ ନିଷିଦ୍ଧ କରିଥିଲା ​​ଏବଂ “ଫ୍ରିଡମ୍ ରାଇଡ୍ସ” ସୃଷ୍ଟି କରିଥିଲା।

ତାଙ୍କର ପ୍ରମୁଖ ଭୂମିକା ସତ୍ୱ‌େ ବଏଣ୍ଟନ୍ ଅନ୍ୟ ନାଗରିକ ଅଧିକାର କର୍ମୀଙ୍କ ପରି ମାନ୍ୟତା ପାଇନଥିଲେ। ଯଦିଓ ତାଙ୍କ ମା ଏବଂ ପିତା ଉଭୟ ନାଗରିକ ଅଧିକାର କର୍ମୀ ଥିଲେ। ୧୯୬୫ରେ ଭୋଟ୍ ଅଧିକାର ପାଇଁ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ମା ଆମେଲିଆ ବଏଣ୍ଟନ୍ ରବିନ୍ସନ୍‌ଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯାଇଥିଲା ଏବଂ ୫୦ ବର୍ଷ ପରେ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ ସମ୍ମାନିତ କରିଥିଲେ।

Leave A Reply

Your email address will not be published.