Latest Odisha News

BREAKING NEWS

BS-III vehicle: E20 ପେଟ୍ରୋଲ ନେଇ ସରକାରଙ୍କ ବଡ଼ ଖୁଲାସା!

ନୂଆଦିଲ୍ଲୀ: E20 ପେଟ୍ରୋଲ ନେଇ ସରକାରଙ୍କ ବଡ ଖୁଲାସା!

ବଦଳାଇବାକୁ ପଡିବ ପୁରୁଣା ଗାଡ଼ିର ପାର୍ଟସ୍?

ସଂସଦରେ ବଡ କଥା କହିଦେଲେ ଗଡ଼କରୀ…

ଦେଶରେ E20 ପେଟ୍ରୋଲ ବ୍ୟବହାର ବଢ଼ିବା ସହ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ସନ୍ଦେହ ଦେଖାଦେଇଛି। ବିଶେଷକରି ପୁରୁଣା କାର୍ ଓ ବାଇକ୍ ବ୍ୟବହାର କରୁଥିବା ଲୋକମାନଙ୍କ ପ୍ରଶ୍ନ ହେଉଛି, E20 ପେଟ୍ରୋଲ ବ୍ୟବହାର କଲେ ଗାଡ଼ିର ଇଞ୍ଜିନ କିମ୍ବା ଅନ୍ୟାନ୍ୟ ପାର୍ଟସ୍ ଖରାପ ହୋଇଯାଉଛି ? ଏହାକୁ ନେଇ ବିବାଦ ଲାଗିରହିଛି । ଏହି ସବୁ ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ।

ଗଡ଼କରୀ କହିଛନ୍ତି ଯେ E20 ପେଟ୍ରୋଲ ବ୍ୟବହାର କଲେ ସମସ୍ତ ପୁରୁଣା ଗାଡ଼ିରେ କୌଣସି ବଡ଼ କ୍ଷତି ହେବ ନାହିଁ। ତେବେ BS-3 ମାନକର କିଛି ଗାଡ଼ିରେ କେବଳ ରବର ପାର୍ଟସ୍ ଓ ଗ୍ୟାସକେଟ୍ ବଦଳାଇବାର ଆବଶ୍ୟକତା ପଡ଼ିପାରେ। ଏହି ପାର୍ଟସ୍ ଗୁଡ଼ିକୁ ନିୟମିତ ସର୍ଭିସିଂ ସମୟରେ ସହଜରେ ବଦଳାଯାଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେ ନାହିଁ। ଇଞ୍ଜିନର ସ୍ଥିତି, ଡ୍ରାଇଭିଂ ଶୈଳୀ, ରାସ୍ତାର ଅବସ୍ଥା ଏବଂ ଗାଡ଼ିର ରକ୍ଷଣାବେକ୍ଷଣ ଭଳି ଅନେକ କାରଣ ମାଇଲେଜ୍‌କୁ ପ୍ରଭାବିତ କରିଥାଏ। ତେଣୁ E20 ପେଟ୍ରୋଲକୁ ମାଇଲେଜ୍ କମିବାର ଏକମାତ୍ର କାରଣ ବୋଲି କହିହେବ ନାହିଁ।

ତେବେ E20 ପେଟ୍ରୋଲର ପ୍ରଭାବ ଜାଣିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ୍ (IOCL), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ (ଡେରାଡୁନ), SIAM ଓ ARAI ମିଳିତ ଭାବେ ବିସ୍ତୃତ ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନରେ କାର୍ ଓ ଦୁଇଚକିଆ ଗାଡ଼ିର ଇଞ୍ଜିନ ଉପରେ E20 ଇନ୍ଧନର ପ୍ରଭାବ ପରୀକ୍ଷା କରାଯାଇଥିଲା ଏବଂ ଅଧ୍ୟୟନରେ ଜଣାପଡ଼ିଛି ଯେ E20 ପେଟ୍ରୋଲ ବ୍ୟବହାର ପାଇଁ ଇଞ୍ଜିନରେ କୌଣସି ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ। ପୁରୁଣା ଗାଡ଼ିର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ କୌଣସି ବିଶେଷ ନକାରାତ୍ମକ ପ୍ରଭାବ ଦେଖାଯାଇନଥିଲା। ଡ୍ରାଇଭିଂ, ଇଞ୍ଜିନ ଷ୍ଟାର୍ଟ, ଧାତୁ ଓ ପ୍ଲାଷ୍ଟିକ୍ ପାର୍ଟସ୍ ସହ ସୁସଙ୍ଗତତାରେ ମଧ୍ୟ କୌଣସି ଅସୁବିଧା ମିଳିନଥିଲା।

ତେବେ BS-3 ((Bharat Stage 3) ଶ୍ରେଣୀର ଗାଡ଼ିଗୁଡ଼ିକ ମୁଖ୍ୟତଃ ୧ ଏପ୍ରିଲ ୨୦୦୫ ପରେ ଏବଂ ୨୦୧୬ ପୂର୍ବରୁ ନିର୍ମିତ ଯାନବାହନ। ଏହି ଗାଡ଼ିର କେତେକ ରବର ପାର୍ଟସ୍ ଉପରେ E20ର ସାମାନ୍ୟ ପ୍ରଭାବ ଦେଖାଯାଇଥିଲେ ମଧ୍ୟ ଏହାକୁ ସାଧାରଣ ସର୍ଭିସିଂ ସମୟରେ ବଦଳାଇ ହେବ ବୋଲି ସଡକ ମନ୍ତ୍ରୀ ଦାବି କରିଛନ୍ତି ।

ତେବେ E20 ପେଟ୍ରୋଲ କ’ଣ? ସାଧାରଣ ପେଟ୍ରୋଲ୍ ଠାରୁ ଏହା କେତେ ଅଲଗା? କାହିଁକି ଏହାକୁ ନେଇ ବିବାଦ ଦେଖାଦେଇଛି?

E20 ପେଟ୍ରୋଲ ହେଉଛି ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ଇନ୍ଧନ। ପେଟ୍ରୋଲ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା, ଇଥାନଲ ବ୍ୟବହାର ବଢ଼ାଇବା ଏବଂ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଦେଶରେ E20 ପେଟ୍ରୋଲର ବ୍ୟବହାରକୁ ପ୍ରୋତ୍ସାହନ ଦେଉଛନ୍ତି। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଉଠୁଥିବା ବିଭିନ୍ନ ଦାବି ମଧ୍ୟରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଅଧିକାଂଶ ଗାଡ଼ି ପାଇଁ E20 ସୁରକ୍ଷିତ ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

Leave A Reply

Your email address will not be published.