ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି । ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜେପି ସରକାରଙ୍କ ଏହା ଦ୍ୱିତୀୟ ବଜେଟ୍।
ଯାହାକୁ ନେଇ ମତ ରଖି କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହ କହିଛନ୍ତି, କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା । ଆଉ ଆଜି ୨୦୨୫-୨୬ ବଜେଟ୍ ବେଳକୁ ଏବେ ଏହା ୫୧ ଲକ୍ଷ କୋଟିରେ ପହଞ୍ଚିଛି । କେନ୍ଦ୍ର ବଜେଟ୍ରେ ଚାକିରିଆ, ବ୍ୟବସାୟୀଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି । କୃଷକମାନଙ୍କ ପାଇଁ କିଶାନ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗ୍ରାମାଚଂଳରେ ୨୯ ଲକ୍ଷ ଓ ୧୭୬ଟି ସହର ପାଇଁ ୩ ଲକ୍ଷ ଘର ତିଆରି କରାଯାଇଛି । ଏହା କେବଳ ୨୦୨୫-୨୬ର ବଜେଟ ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସୁଶାସନର ଗତ ୧୦ ବର୍ଷର ରିପୋର୍ଟ କାର୍ଡ ବୋଲି ସେ କହିଛନ୍ତି ।
ଏଥିସହିତ ସେ ଆହୁରି ବି କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୪୧ହଜାର କିଲୋମିଟରରୁ ଅଧିକ ସଡ଼କ ତିଆରି ହୋିଛି । ଜଳଜୀବନ ମିଶନରେ ୭୧ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଣ କରାଯାଇଛି । ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ ସହ ଓଡ଼ିଶାରେ ଜନଧନ ଯୋଜନାରେ ଗ୍ରାମାଂଚଳରେ ବ୍ୟାଙ୍କ ସେବା ପହଂଚାଯାଇପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ସେବା ଯୋଜନାରେ ଲୋକଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ଦିଆଯାଇଛି । ପୂର୍ବରୁ କେବଳ ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା । ବିଜେପି ସରକାରକୁ ଆସିବା ପରେ ଗତ ୧୦ ବର୍ଷରେ ନୂଆ ୭ଟି ମେଡିକାଲ କଲେଜ ତିଆରି କରାଯାଇଛି । ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରାଯାଇଛି ।
ସେହିପରି ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ଡେ କେୟାର ସେଂଟର କରିବାକୁ ଯୋଜନା କରାଯାଇଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ରେଳପଥର ବିକାଶ ପାଇଁ ବାର୍ଷିକ ହାରାହାରି ମାତ୍ର ୮୩୮କୋଟି ଟଙ୍କାର ଅନୁଦାନ ମିଳୁଥିଲା । ବର୍ତ୍ତମାନ ଏହା ବାର୍ଷିକ ହାରାହାରି ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ମିଳୁଛି । ସେହିପରି ରାଜ୍ୟରେ ବର୍ତ୍ତମାନ ୪୮ଟି ରେଳ ପ୍ରକଳ୍ପ ପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିସହ ଓଡିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ୨୩୭୯ କୋଟି ବ୍ୟୟବରାଦ କରାଯାଇଛି । ଏହାବାଦ ୬ଟି ବନ୍ଦେ ଭାରତ ଟ୍ରେନ, ଗୋଟିଏ ଅମୃତ ଭାରତ ଟ୍ରେନ ଓଡ଼ିଶା ପାଇଁ ଦିଆଯାଇଛି । ମହାନଦୀରେ ହୀରାକୁଦ ଡ୍ୟାମ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
Comments are closed.