Latest Odisha News

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ସପ୍ତମ ଥର ବଜେଟ୍ ଆଣିବେ ନିର୍ମଳା

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ। ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ହେବ ଉପସ୍ଥାପିତ, ଆସନ୍ତାକାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ। ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆଗତ କରିବେ। ଏହା ତାଙ୍କର ସପ୍ତମ ବଜେଟ୍ ହେବ।

ତେବେ ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ସମେତ ଫାଇନାନ୍ସ ବିଲ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ୍, ଦି କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶାସକ ଦଳ ବିଜେପି ସମେତ ୪୪ଟି ଦଳର ୫୫ ନେତା ସାମିଲ ହୋଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।

ବୈଠକରେ ଅନେକ ରାଜ୍ୟର ନେତା ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ଉତ୍ତରପ୍ରଦେଶରେ କାଉଡି ଯାତ୍ରା, ନାମଫଳକ ବିବାଦ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠିଛି। କଂଗ୍ରେସ ଲୋକସଭାର ଉପ ବାଚସ୍ପତି ପଦ ଦେବାକୁ ଦାବି କରିଥିବା ବେଳେ ନିଟ୍ ପରୀକ୍ଷା ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି କରିଛି। ସେହିପରି ବିଜେଡି ପକ୍ଷରୁ ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର ଯୋଗ ଦେଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ।

ଏହାଛଡା ଫସଲବୀମା ଯୋଜନାରେ ଚାଷୀଙ୍କୁ ଶୀଘ୍ର ବୀମାରାଶି ପ୍ରଦାନ, ରାଜ୍ୟରେ ଅଧିକ ରେଳ ଯୋଗାଯୋଗର ବ୍ୟବସ୍ଥା, କୋଇଲା ରୟାଲିଟି ବୃଦ୍ଧି କରିବା ସହ ସମସ୍ତ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ଅନୁମୋଦନ କରିବା ପାଇଁ ସେ ଦାବି କରିଥିଲେ। ସେହିପରି ଓଡ଼ିଶାର ରାଜ୍ୟପାଳଙ୍କ ପୁଅ ରାଜଭବନର ଜଣେ କର୍ମଚାରୀଙ୍କୁ ମାଡ ମରିଥିବା ଓ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଘଟଣା ମଧ୍ୟ ବିଜେଡି ଏହି ଅଧିବେଶନରେ ଉଠାଇବ ବୋଲି ସସ୍ମିତ ଉଲ୍ଲେଖ କରିଥିଲେ।

Comments are closed.