ମୁମ୍ବାଇ: ରୋହିତ ଶର୍ମାଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କିଏ ହେବ ସେ ନେଇ ବିସିସିଆଇ ବିଚାର ବିମର୍ଶ ଆରମ୍ଭ କରିଦେଇଛି । ଯଶପ୍ରୀତ ବୁମରାହ ଏହି ଦୌଡରେ ଆଗରେ ରହିଛନ୍ତି । ତେବେ ତାଙ୍କ ଆଘାତ ସମସ୍ୟା ବିସିସିଆଇକୁ ଚିନ୍ତାରେ ପକାଇଛି । ଏବେ ସେ ଅନଫିଟ ରହିବା ଯୋଗୁ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଭବିଷ୍ୟତକୁ ଆଖି ଆଗରେ ରଖି ଅଧିନାୟକ ଚୟନ କରିବାକୁ ଚାହୁଁଛନ୍ତି ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏହି ରଣନୀତି ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଉପଅଧିନାୟକ ଭାବେ ରିଷଭ ପନ୍ତ କିମ୍ବା ଯଶସ୍ୱୀ ଜୈସୱାଲଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବା ଏକପ୍ରକାର ନିଶ୍ଚିତ ହୋଇଛି । ରୋହିତ ଇଂଲଣ୍ଡ ଗସ୍ତରେ ଯିବା ସମ୍ଭାବନା ପ୍ରାୟତଃ କ୍ଷୀଣ । ୨୦୨୫ରୁ ୨୦୨୭ ପର୍ଯ୍ୟନ୍ତ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଚକ୍ର ଆରମ୍ଭ ହେବ । ବୁମରାହଙ୍କୁ ନେତୃତ୍ୱ ଦେଇ ବିସିସିଆଇ ପରୋକ୍ଷରେ ଜଣେ ଯୁବ ଖେଳାଳିଙ୍କୁ ପ୍ରସ୍ତୁତ କରିବା ପାଇଁ ଯୋଜନା କରାଯାଇଛି ।
ଏ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ଭୂମିକା ନେଇ ବିସିସିଆଇ କିଛି ସ୍ପଷ୍ଟ କରିନି । ଦଳରେ ସିନିୟର ଖେଳାଳିଙ୍କ ଅଭାବରେ ଟିମ ସନ୍ତୁଳନ ବିଗାଡିବା ଆଶଙ୍କା ମଧ୍ୟ ରହିଛି । ତେବେ ଗମ୍ଭୀର ଓ ଅଗରକର ଭବିଷ୍ୟତ ପାଇଁ ନିଃସନ୍ଦେହ ଏକ ଯୁବ ଟେଷ୍ଟ ଟିମ ଗଠନ କରିବେ । ବିସିସିଆଇ ମଧ୍ୟ କଠୋର ପନ୍ଥା ଆପଣାଇବା ପାଇଁ କହିସାରିଛି । ଗମ୍ଭୀରଙ୍କ ନିକଟରେ ଇଂଲଣ୍ଡ ବିପକ୍ଷ ସିରିଜ ଶେଷ ସୁଯୋଗ କହିଲେ ଭୁଲ ହେବନି ।