ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଘାତ ସମସ୍ୟାରେ ପଡିଛନ୍ତି । ଭାରତ ଏହି ସିରିଜ ୧-୩ରେ ପରାଜିତ ହୋଇଛି । ୱାର୍କଲୋଡ ଯୋଗୁ ବୁମରାହ ଆଘାତପ୍ରାପ୍ତ ହୋଇଥିବା ଜଣାପଡିଛି । ବିିସିସିଆଇ ମେଡିକାଲ ଟିମ ବୁମରାହଙ୍କ ଆଘାତ ସମସ୍ୟାର ତଦନ୍ତ କରୁଛି । ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ବୁମରାହ କିପରି ସମ୍ପୂର୍ଣ୍ଣ ଭାବେ ଫିଟ ହେବେ ସେ ନେଇ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ବୁମରାହଙ୍କ ପିଠି ମାଂସପେଶୀ କେଉଁ ଗ୍ରେଡର ଜଣାପଡିଲେ ସେହି ଅନୁସାରେ କେତେ ଦିନ ବିଶ୍ରାମ ନେବେ ତାହା ସ୍ପଷ୍ଟ ହେବ ।
ଯଦି ଏହା ଗ୍ରେଡ ୧ର ହୋଇଥାଏ ତେବେ ତାଙ୍କୁ ୨ରୁ୩ ସପ୍ତାହ ବିଶ୍ରାମ ଜରୁରୀ । ଗ୍ରେଡ ୨ର ହୋଇଥିଲେ ୬ ସପ୍ତାହ ଓ ଗ୍ରେଡ ୩ର ହୋଇଥିଲେ ୩ ମାସର ବିଶ୍ରାମ ଆବଶ୍ୟକ ହେବ । ଅନ୍ୟ ଏକ ରିପୋର୍ଟ ଅନୁସାରେ ବୁମରାହଙ୍କ ଆଘାତ ଗ୍ରେଡ ୧ରେ ରହିଛି । ତେବେ ସେ ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ଖେଳିବା ନେଇ ସନ୍ଦେହ ରହିଛି । ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ୧୫୦ରୁ ଊର୍ଦ୍ଧ୍ୱ ଓଭର ବୋଲିଂ କରି ୩୨ ୱିକେଟ ଅକ୍ତିଆର କରିଥିଲେ ।