Latest Odisha News

ଭବିଷ୍ୟତ ଟିମ ଇଣ୍ଡିଆ ପାଇଁ ବୋଲର ସମସ୍ୟା

ନୂଆଦିଲ୍ଲୀ: ଭବିଷ୍ୟତ ଟିମ ଇଣ୍ଡିଆ ପ୍ରସ୍ତୁତି ପାଇଁ ବିସିସିଆଇ ଉଦ୍ୟମ ଆରମ୍ଭ କରିଦେଇଛି । ରୋହିତ ଶର୍ମା, ବିରାଟ କୋହଲିଙ୍କ ଯୁଗ ପରେ ଦଳ ନିକଟରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଯୁବ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ଏବେ ବୋଲରଙ୍କ ସମସ୍ୟା ଉଭା ହୋଇଛି । ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ ଓ ଈଶାନ୍ତ ଶର୍ମାଙ୍କ ପରି ବୋଲରଙ୍କ ପାଇଁ ଭାରତୀୟ ଟିମକୁ ଅପେକ୍ଷା କରିବାକୁ ପଡିବ । ଏ ପର୍ଯ୍ୟନ୍ତ ଯୁବ ବୋଲର ସେ ଭଳି ପ୍ରଭାବିତ କରିପାରି ନାହାନ୍ତି । ୩୬ଟି ଟେଷ୍ଟ ଖେଳିବା ସତ୍ୱେ ମହମ୍ମଦ ସିରାଜ ମ୍ୟାଚ ବିଜୟୀ ବୋଲର ହୋଇପାରି ନାହାନ୍ତି । ପ୍ରସିଦ୍ଧ କ୍ରିଷ୍ଣାଙ୍କ ନିକଟରେ ପେସ ରହିଥିଲେ ମଧ୍ୟ ଲାଇନ ଓ ଲେନ୍ଥ ଉପରେ ନିୟନ୍ତ୍ରଣ ରହୁନି । ଆକାଶ ଦୀପ ଓ ମୁକେଶ କୁମାରଙ୍କ ନିକଟରେ କୌଶଳ ଥିଲେ ମଧ୍ୟ ଆନ୍ତର୍ଜାତୀୟସ୍ତରରେ ଏହାକୁ ପ୍ରମାଣିତ କରିପାରି ନାହାନ୍ତି ।

ଅର୍ଶଦୀପ ସିଂ ସୀମିତ ଓଭର ମୁକାବିଲାରେ ଭଲ ବୋଲିଂ କରୁଥିଲେ ମଧ୍ୟ ଲାଲ ବଲରେ ପ୍ରଭାବିତ କରିପାରୁ ନାହାନ୍ତି । ଏବେଠାରୁ ଯୁବ ପେସ ବୋଲରମାନଙ୍କ ପର୍ଯ୍ୟାୟକ୍ରମେ ଟେଷ୍ଟ ସିରିଜ ଖେଳାଇଲେ ଆଗାମୀ ଦିନରେ ସେମାନେ ନିଜକୁ ପ୍ରସ୍ତୁତ କରିପାରିବେ । ବୁମରାହ, ସିରାଜଙ୍କ ପରେ ଭାରତର ପେସ ବୋଲିଂ ଦାୟିତ୍ୱ କାହା ଉପରେ ନ୍ୟସ୍ତ ହେବ ତାହା ସ୍ପଷ୍ଟ ହୋଇ ପାରୁନି । ଟିମ ସଜାଡିବାକୁ ଯାଇ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନିକଟରେ ଅଟକି ଯାଇଛନ୍ତି । ଏବେଠାରୁ ବେଂଚ ଷ୍ଟ୍ରେନ୍ଥ ମଜଭୁତ ନ କଲେ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ଦିଶାହୀନ ହୋଇପାରେ ବୋଲି ସମୀକ୍ଷକମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.