Latest Odisha News

BREAKING NEWS

ତେଜୁଛି ବାବୁ-ନେତା କଳି, ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ କରୁଛନ୍ତି ପ୍ରଶାସନିକ ଅଧିକାରୀ?

ଭୁବନେଶ୍ୱର: ମାସକ ଭିତରେ ବଲାଙ୍ଗୀରରେ ଦେଖିବାକୁ ମିଳିଛି ବାବୁ-ନେତାଙ୍କ କଳି। ନୂଆବର୍ଷ ଆରମ୍ଭରୁ ତିନି ନିର୍ବାଚିତ ପ୍ରତିନିଧି ଏବଂ ବାବୁଙ୍କ କଳିକୁ ନେଇ ଏବେ ପୁଣିଥରେ ଉଷ୍ମ ହୋଇଛି ରାଜ୍ୟରେ ବାବୁ-ନେତା କଳି। ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ମଧ୍ୟରେ ଥିଲା। ଏହାପରେ ପୂର୍ବତନ ବିଧାୟକ କନକ ବର୍ଦ୍ଦନ ସିଂହ ଦେଓ ଓ ବେଲପଡା ବିଡିଓ ଏବଂ ତୃତୀୟଟି ହେଉଛି ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂହ ଦେଓ ଏବଂ ପିଡିଡିଆରଡିଏ ମଧ୍ୟରେ। ହେଲେ ଏହି ବିବାଦ ମଧ୍ୟରେ ବାବୁ ମାନେ ବୁକ ସର୍କୁଲାର-୪୭ ମାନୁନଥିବା ଦେଖିବାକୁ ମିଳିଛି। ଗତବର୍ଷ ବିଧାନସଭା ଅଧିବେଶନ ବେଳେ (ଜୁଲାଇ ୫) ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ତାରା ବାହିନୀପତି କହିଥିଲେ ବୁକ ସର୍କୁଲାର-୪୭କୁ କେହି ମାନୁନାହାନ୍ତି। ବାରମ୍ବାର ବୁକ ସର୍କୁଲାର-୪୭ ଉଲ୍ଲଂଘନ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ଯ ଏହାକୁ କେହି ଗୁରୁତ୍ଵ ଦେଉନାହାନ୍ତି। ଏବେ ପ୍ରଶ୍ନ ଉଠୁଛି କାହା ହଳରେ ବାବୁ ବା ପ୍ରଶାସନିକ ଅଧିକାରୀ ବାରମ୍ବାର ବୁକ ସର୍କୁଲାର-୪୭କୁ ଉଲ୍ଲଂଘନ କରୁଛନ୍ତି?

ବୁକ୍ ନମ୍ବର ୪୭

ପୂର୍ବରୁ ମଧ୍ୟ ରାଜ୍ୟରେ ନିର୍ବାଚିତ ପ୍ରତିନିଧି ଖାସ କରି ବିରୋଧୀ ଦଳର ନିର୍ବାଚିତ ପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ସାମ୍ନାକୁ ଆସିଛି। ତେଣୁ ଗତବର୍ଷ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ସଚିବ ଜି. ମାଥ୍ୟୁବାଥନନ୍ ଏ ନେଇ ଅସନ୍ତୋଷ ପ୍ରକାଶ କରି ସବୁ ବିଭାଗକୁ ଅଗଷ୍ଟ ୫ ତାରିଖରେ ଚିଠି ଲେଖିଥିଲେ । ଚିଠିରେ ବୁକ ନମ୍ବର ୪୭ ସର୍କୁଲାରକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଥିଲା।

ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବ ତାହା ବୁକ୍ ସର୍କୁଲାର-୪୭ ନିୟମାବଳୀରେ ଉଲ୍ଲେଖ ରହିଛି। ସରକାରୀ ଅଧିକାରୀ କାର୍ଯ୍ୟରତ ସମୟରେ ସାଂସଦ ଓ ବିଧାୟକମାନଙ୍କ ସହ କଥାବାର୍ତ୍ତା ବେଳେ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଦେଖାଇବେ। ଯେତେବେଳେ ଜନ ପ୍ରତିନିଧି ଅଫିସରଙ୍କୁ ସାକ୍ଷାତ କରିବାକୁ ଅଫିସ ଆସିବେ, ସେତେବେଳେ ସମ୍ପୃକ୍ତ ଅଫିସର ତାଙ୍କୁ ସମ୍ମାନ ଜଣାଇ ଛିଡା ହେବେ। ସାଂସଦ ଏବଂ ବିଧାୟକ ଜିଲ୍ଲା ଓ ସଦରମହକୁମା ମୁଖ୍ୟାଳୟରେ ଥିବା ସମୟରେ ଅଫିସରମାନେ ପ୍ରତିଦିନ ସେମାନଙ୍କୁ କିଛି ସମୟ ଦେବେ। ସେହିଭଳି ଜନ ପ୍ରତିନିଧିଙ୍କ ଫୋନ ଆସିଲେ ଅଫିସର ତତ୍କାଳ ଜବାବ ଦେବେ। ଯଦି ଅଫିସରେ ଉପସ୍ଥିତ ନ ଥିବେ, ପରବର୍ତ୍ତୀ ସମୟରେ କଲ୍ କରିବେ, ଯାହାକି ରେଜିଷ୍ଟର୍‌ରେ ଲିପିବଦ୍ଧ ରହିବ।

ରାଜ୍ୟର OAS, ORS, OTAS ଓ ଅନ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏଜେଣ୍ଡାରେ ବୁକ୍ ସର୍କୁଲାର-୪୭ ସାମିଲ କରିବା ଲାଗି ବିଭାଗୀୟ ସଚିବମାନଙ୍କୁ ସଂସଦୀୟ ବ୍ୟାପାର ବିଭାଗ ମଧ୍ୟ ଚିଠି ଲେଖିଛି।

ସାଂସଦ ସଙ୍ଗୀତା ଏବଂ ପିଡିଡିଆରଡିଏ ବିବାଦ

ବଲାଙ୍ଗୀର ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପିଡିଡିଆରଡିଏ ସୁଶାନ୍ତ କୁମାର ସିଂହଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଦିଶା ବୈଠକ ପିଡି-ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଭାସ୍ଥଳ ଆଉ ଏକ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସେଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି।

ସେ ସେଠାରେ ଉପସ୍ଥିତ ଥିବା ପିଡି-ଡିଆରଡିଏଙ୍କ ଉପରେ ରାଗି ଯାଇଥିଲେ ଏବଂ ଜିଲ୍ଲାପାଳଙ୍କ ବଦଳରେ ତାଙ୍କୁ କାହିଁକି ସେ ରିସିଭ୍ କଲେ ବୋଲି ପଚାରିଥିଲେ। ପରେ ସଙ୍ଗୀତା ସିଂହଦେଓ ସମସ୍ତ ଜିଲ୍ଲା ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସମୀକ୍ଷା ବୈଠକକୁ ଡାକିଥିଲେ, ସେଠାରୁ ବିଜେଡି ସମର୍ଥିତ ଜଣେ ବ୍ଲକ ଅଧ୍ୟକ୍ଷ ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗ କରି ବୈଠକ ଅଧାରୁ ଛାଡି  ଚାଲିଯାଇଥିଲେ।

ବିଧାୟକ ସାଲୁଜା ଏବଂ ଜିଲ୍ଲାପାଳ କଳି

କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗତ ଜାନୁଆରୀ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଗାଳିଗୁଲଜ କରିବା ପରେ ଜିଲ୍ଲା ପରିଷଦ ବୈଠକ କକ୍ଷରୁ ଚାଲିଯାଇଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ୍ ପାଇଁ ଉଦ୍ଦିଷ୍ଟ କେବିକେ ପାଣ୍ଠିକୁ ଜିଲ୍ଲାପାଳ ବିନା ପରାମର୍ଶରେ କମାଇ ଦେଇଥିବା ସାଲୁଜା ଅଭିଯୋଗ କରିଛନ୍ତି। ମୁହାଁମୁହିଁ ହେବା ପରେ ଜିଲ୍ଲାପାଳଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କଳାବ୍ୟାଜ୍ ପିନ୍ଧି ଧାରଣାରେ ବସିଥିଲେ।
ତେବେ ସାଲୁଜା ମଧ୍ୟ ପଛଘୁଞ୍ଚା ଦେଇନଥିଲେ। ସେ ତାଙ୍କ ସମର୍ଥକଙ୍କୁ ଏକାଠି କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିବା ସହ ପାଣ୍ଠି ହ୍ରାସକୁ ନେଇ ଜିଲ୍ଲାପାଳ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ବେଲପଡା ବିଡିଓଙ୍କୁ କିରାଣୀ କହିଲେ ପୂର୍ବତନ ବିଧାୟକ କନକ ବର୍ଦ୍ଦନ

ବେଲପଡା ବିଡିଓ ଭିକ୍ଟର ସୋରେନ ମନମାନି କାମ କରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ନଶୁଣି ଏକ ପାଖିଆ ନିଷ୍ପତ୍ତି ନେଉଛନ୍ତି। ବିଜେପି କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଏ ନେଇ ବ୍ଲକ ଅଫିସ ଆଗରେ ଧାରଣା ଦେଇଛନ୍ତି। ହେଲେ ବିଡିଓ କୌଣସି କଥା ଶୁଣନଥିବା ଅଭିଯୋଗ ହୋଇଛି। ବୁଧବାର ଏ ନେଇ ଆନ୍ଦୋଳନ ବେଳେ ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ପାଟନାର ରାଜା କନକ ବର୍ଦ୍ଧନ ସିଂହ ଦେଓ ସାମିଲ ହୋଇଥିଲେ। ଏହାପରେ ବିଡିଓ ଭିକ୍ଟର ସୋରେନ ରାଜା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବାକ୍ୟବାଣରେ ଘାଇଲା ହୋଇଥିଲେ। ଏହି ସମୟରେ କନକ କହିଥିଲେ, ଆପଣ ସମସ୍ତଙ୍କ ସର୍ବେସର୍ବା ହେବାକୁ ଚେଷ୍ଟା କରନ୍ତୁ ନାହିଁ। ଏମିତିକି ବିଡିଓଙ୍କୁ କିରାଣୀ କହି ଅସନ୍ତୋଷ ଝାଡିଥିଲେ ରାଜା କନକ ବର୍ଦ୍ଧନ ସିଂହ ଦେଓ।

 

Comments are closed.