ଜୟପୁର: ୧୦ ଟଙ୍କା ପାଇଁ ନିଜର ବୁଦ୍ଧି ବିବେକ ହରାଇ ବସିଲା ବସ୍ କଣ୍ଡକ୍ଟର । ଜଣେ ୭୫ ବର୍ଷିୟ ବୃଦ୍ଧ ତଥା ଅବସର ପ୍ରାପ୍ତ ଆଇଏଏସ ଅଫିସରଙ୍କୁ ମାଡ ମାରିବା ସହ ଅଧା ରାସ୍ତାରେ ବସରୁ ବାହାର କରିଦେଲେ ଉକ୍ତ କଣ୍ଡକ୍ଟର ଜଣଙ୍କ । ଏ ଘଟଣା ହେଉଛି ରାଜସ୍ଥାନ ଜୟପୁରର । ୧୦ ଟଙ୍କା ଦେଇ ନପାରିବାରୁ ବସ୍ କଣ୍ଡକ୍ଟର ଜଣଙ୍କ ଜଣେ ୭୫ ବର୍ଷିୟ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ଗତ ଶୁକ୍ରବାର ଦିନ ହୋଇଥିବା ନେଇ ଜଣାପଡିଛି । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୟସ୍କ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଆରଏଲ ମୀଣା ।
ସୂଚନାନୁସାରେ, ଆରଏଲ ମୀଣା ଯେଉଁଠାରେ ଓହ୍ଲାଇବାର ଥିଲା ସେ ସେଠାରେ କୌଣସି କାରଣ ବସତଃ ଓହ୍ଲାଇ ପାରିନଥିଲେ। ଏହା ପରେ ପରବର୍ତ୍ତୀ ଷ୍ଟପେଜରେ ପହଞ୍ଚିବା ପରେ ଅତିରିକ୍ତ ଭଡା ବାବଦକୁ ତାଙ୍କୁ ୧୦ ଟଙ୍କା ମାଗିଥିଲେ ବସ୍ କଣ୍ଡକ୍ଟର । ମାତ୍ର ଆରଏଲ ମୀଣାଙ୍କ ପାଖରେ ଆଉ ଟଙ୍କା ନଥିବାରୁ ସେ ଦେଇପାରିନଥିଲେ । ଏଥିରେ ଉରକ୍ଷିପ୍ତ ହୋଇ ବସ୍ କଣ୍ଡକ୍ଟର ଜଣଙ୍କ ତାଙ୍କୁ ମାଡ ମାରିବା ସହ ବସରୁ ବାହାରକୁ ବାହାର କରିଦେଇଥିଲେ ।
ପୋଲିସର କହିବା ଅନୁସାରେ, ଉକ୍ତ ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କୁ ଆଗ୍ରା ରୋଡରେ ଥିବା କାନୋତା ବସଷ୍ଟାଣ୍ଡରେ ଓହ୍ଲାଇବାର ଥିଲା । କିନ୍ତୁ କଣ୍ଡକ୍ଟର ଜଣଙ୍କ ତାଙ୍କୁ ଷ୍ଟପେଜ ଆସିବା ନେଇ କୌଣସି ସୂଚନା ଦେଇନଥିଲେ । ଏହା ପରେ ବସ୍ ପରବର୍ତ୍ତୀ ଷ୍ଟପେଜ ନାୟଲାରେ ପହଞ୍ଚିଥିଲା । ସେତେବେଳେ ଆରଏଲ ମୀଣା ଓହ୍ଲାଉଥିବା ବେଳେ ବସ୍ କଣ୍ଡକ୍ଟର ତାଙ୍କୁ ଅତିରିକ୍ତ ରାଶି ବାବଦକୁ ୧୦ ଟଙ୍କା ମାଗିଥିଲା । କିନ୍ତୁ ଆରଏଲ ମୀଣା ତାଙ୍କୁ ଟଙ୍କା ଦେଇନଥିଲେ । ଦୁହେଁଙ୍କ ଭିତରେ ଏନେଇ କିଛି ସମୟ ଧରି ବିବାଦ ଲାଗିଥିଲା ।
ଯେଉଁଥିରେ ଉତକ୍ଷିପ୍ତ ହୋଇ କଣ୍ଡକ୍ଟର ଜଣଙ୍କ ଆରଏଲ ମୀଣାଙ୍କୁ ଧକା ଦେଇଥିଲେ । ଏହାର ପ୍ରତିଉତ୍ତରରେ ଆରଏଲ ମୀଣା ମଧ୍ୟ ବସ୍ କଣ୍ଡକ୍ଟରଙ୍କୁ ମାଡ ମାରିଥିଲେ । ଯାହାକୁ ନେଇ ବେଶ୍ କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବସ୍ କଣ୍ଡକ୍ଟର ଜଣଙ୍କ ଆରଏଲ ମୀଣାଙ୍କୁ ମାଡ ମାରୁଥିବା ସତ୍ତ୍ଵେ ମଧ୍ୟ ଅନ୍ୟ ସମସ୍ତ ଯାତ୍ରୀ ତାଙ୍କ ସ୍ଥାନରେ ବସିଛନ୍ତି । କେହି କୌଣସି ପ୍ରତିବାଦ କରୁନାହାଁନ୍ତି । ଏନେଇ ଆରଏଲ ମୀଣାଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ସହ ବସର କଣ୍ଡକ୍ଟରଙ୍କୁ ପଚରାଉଚରା କରୁଛି ।