Latest Odisha News

BREAKING NEWS

ନୟାଗଡ଼ ଦଶପଲ୍ଲାରେ ବସ୍ ଓଲଟି ୧୭ ଯାତ୍ରୀ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର

 ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିକଟ ସରିଗଣ୍ଡା ଛକରେ ଏକ ଯାତ୍ରୀବାହୀ ବସ୍ ଓଲଟିପଡ଼ିବାରୁ ୧୭ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବସଟି ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମୋଡ଼ ନେବା ସମୟରେ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁଯାଇ ଆହତମାନଙ୍କୁ ଉଦ୍ଧାର କରିଥିଲେ।

ଜରୁରୀକାଳୀନ ସେବାକୁ ଖବର ଦିଆଯିବା ପରେ ଆହତମାନଙ୍କୁ ପ୍ରଥମେ ଦଶପଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ଆଶ୍ଚର୍ଯ୍ୟର କଥା ହେଉଛି, ଦୁର୍ଘଟଣା ପରେ ବସ୍ ଡ୍ରାଇଭର୍ ଯାତ୍ରୀମାନଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।

ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଡ୍ରାଇଭର ମଦ୍ୟପାନ କରିଥିଲେ ଏବଂ ଅତ୍ୟଧିକ ବେଗରେ ଗାଡ଼ି ଚଳାଉଥିଲେ। ଜଣେ ଯାତ୍ରୀ କହିଛନ୍ତି, “ସେମାନେ ୩ ଟା ସୁଦ୍ଧା ପହଞ୍ଚିବାର ଥିଲା। ଖୋର୍ଦ୍ଧାର ଏକ ହୋଟେଲରେ ରାତ୍ରିଭୋଜନ କରିବା ପରେ ବସ ଗଡ଼ିଥିଲା। କିନ୍ତୁ ଡ୍ରାଇଭର୍ ଏବଂ ହେଲ୍ପର୍ ମଦ ପିଇଥିଲେ। ମୋ ବାପା, ମାଙ୍କର… ଦୁର୍ଘଟଣାରେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି।”
ଅନ୍ୟପକ୍ଷରେ ହେଲ୍ପର୍ କହିଛନ୍ତି, “ମୋଡ଼ ନେବା ଠିକ୍ ପୂର୍ବରୁ ଏକ ଟ୍ରକ୍ ହଠାତ୍ ଆସି କଟ୍ କରିଦେଇଥିଲା। ଗାଡ଼ି ବହୁତ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, କେବଳ ଆଘାତ ଲାଗିଛି।

ଏହି ଦୁର୍ଘଟଣାରେ ବସରେ ଥିବା ସମସ୍ତ ୧୭ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ୍ ଏହି ମାମଲାର ତଦନ୍ତ କରୁଛି ଏବଂ ଡ୍ରାଇଭରକୁ ଖୋଜୁଛି।

Comments are closed.