Latest Odisha News

ବାରିପଦା ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ବନ୍ଦ

ବାରିପଦା: ବାରିପଦାରୁ ଗଡୁନି ବସ୍ ।  ୨ ଗୋଷ୍ଠୀ ମାରପିଟ ଘଟଣାକୁ ନେଇ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ପୂରା ଠପ୍ । ଯିବା ଆସିବାରେ ବାଧାପ୍ରାପ୍ତ ହେବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ସେପଟେ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ତଦନ୍ତ ଜରି ରଖିଛି ବାରିପଦା ଟାଉନ ଥାନା ପୋଲିସ ।

ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଭଦ୍ରକରୁ ବାରିପଦା ମଧ୍ୟରେ ଚାଲୁଥିବା ‘ମାଆ ଦୁର୍ଗା’ ନାମକ ଘରୋଇ ବସ୍ ସନ୍ଧ୍ୟା ୮ଟା ୯ ମିନିଟରେ ବାରିପଦା ବସଷ୍ଟାଣ୍ଡ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ପାଇଥିଲା। ତେଣୁ ନିୟମ ଅନୁଯାୟୀ ବସଟି ସେହି ସମୟରେ ପ୍ରତିଦିନ ପ୍ରବେଶ କରେ ଏବଂ ୮ଟା ୨୫ ମିନିଟ ସୁଦ୍ଧା ଷ୍ଟାଣ୍ଡରୁ ବାହାରେ। ହେଲେ ଶୁକ୍ରବାର ବସଟି ସନ୍ଧ୍ୟା ସାଢ଼େ ୭ ଟାରେ ଷ୍ଟାଣ୍ଡ ଭିତରେ ପଶିଯାଇଥିଲା। ସେଥିପାଇଁ ଷ୍ଟାଣ୍ଡ କର୍ମଚାରୀମାନେ ବିରୋଧ କରିଥିଲେ। ହେଲେ ‘ମାଆ ଦୁର୍ଗା’ ବସ୍ ପରିଚାଳକ ଜବରଦସ୍ତି ପଶିଥିବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେହି ଯୁକ୍ତିତର୍କ ଭିତରେ ୧୦୦ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଷ୍ଟାଣ୍ଡ ଭିତରେ ପଶି ବସ୍ ମାଲିକ ଓ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁଁ ୫ ଜଣ ଗୁରୁତର ହୋଇଛନ୍ତି। ଯାହାକୁ ନେଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବେ ବେଳେ ହଇରାଣ ହେଉଛନ୍ତି ଲୋକେ । ଅନ୍ୟପକ୍ଷରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଏହି ମାମଲାରେ ୧୦ ଜଣଙ୍କୁ ଅଟକ ରଖିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.