Latest Odisha News

କଲବଲ କରୁଛି ବର୍ଷା: ଫୁଲୁଛି ମହାନଦୀ, ବିପଦ ସଂକେତ ଉପରେ ବୈତରଣୀ

କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏନେଇ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି । ଦୁର୍ବଳ ନଦୀବନ୍ଧ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଅନ୍ୟପଟେ ମୁଣ୍ଡଳୀଠାରେ ବିପଦ ସଂକେତ ୯୭ .୨୫ ଘନପୁଟ ରହିଥିବା ବେଳେ ବର୍ତ୍ତମାନ ୯୧.୭୦ ରେ ରହିଛି ମୁଣ୍ଡଳୀର ଜଳସ୍ତର । ସେପଟେ ବୈତରଣୀ ନଦୀରେ ଆସିଛି ବଡ ବନ୍ୟା । ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଂକେତ ଉପରେ । ସାଳନ୍ଦୀ ଓ ଗେଙ୍ଗୁଟି ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୯.୮୮ ମିଟର ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି । କଣ୍ଟିଘାଇ ଗୌରାଙ୍ଗପୁର ଏସକେପ ଦେଇ ବନ୍ୟାଜଳ ଜନବସତିକୁ ପ୍ରବେଶ କରିଛି । ଭଦ୍ରକରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଷୋଳମପୁର ପଞ୍ଚାୟତ ଖପୁରିଆପଦା ମୁଖ୍ୟ ରାସ୍ତାରେ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ ଥିବାବେଳେ ଏବେ ୪୦ମିଟର ଉପରେ ପାଣି ବୋହୁଛି । ଏବେବି ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବଢୁଛି ।

Comments are closed.