Latest Odisha News

BREAKING NEWS

ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଲକ୍ଷ୍ନୌ: ଚଳିତ ଆଇପିଏଲ ସଂସ୍କରଣର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦିଲ୍ଲୀ କ୍ୟାପିଟାଲସକୁ ୫୦ ରନରେ ପରାସ୍ତ କରିଛି। ଘରୋଇ ପିଚରେ କେ.ଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ମ୍ୟାଚ ଜିତି ଚଳିତ ଆଇପିଏଲରେ ବିଜୟ ଅଭିଯାନ ଆରମ୍ଭ କରିଛି।

ଆଇପିଏଲ୍ ୨୦୨୩ର ଦ୍ୱିତୀୟ ଦିନରେ ଲକ୍ଷ୍ନୌ ଏବଂ ଦିଲ୍ଲୀ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଦିଲ୍ଲୀର ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁପର ଜାଏଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ସମୟରେ ଇକାନା ଷ୍ଟାଡିୟମରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଲକ୍ଷ୍ନୌର ଓପନର୍ କାଇଲି ମେୟର୍ସ ଏହି ମ୍ୟାଚ ଜରିଆରେ ଆଇପିଏଲରେ ଡେବ୍ୟୁ କରି ଚମତ୍କାର ଇନିଂସ ଖେଳିଥିଲେ। ଏହି ବ୍ୟାଟସମ୍ୟାନ ମାତ୍ର ୩୮ ବଲରେ ୭୩ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ସେ ୨ଟି ଚୌକା ଓ ୭ଟି ଛକା ମାରିଛନ୍ତି।

ଦିଲ୍ଲୀର ବୋଲର ଖଲିଲ ଅହମ୍ମଦ ଏବଂ ଚେତନ ସାକାରିଆ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇ ସଫଳତା ହାସଲ କରିଥିଲେ।

କାଇଲି ମେୟର୍ସଙ୍କ ବ୍ୟତୀତ ଆୟୁଷ ବଦୋନି ୭ଟି ବଲରୁ ୧୮ ରନ୍ କରି ଚମତ୍କାର ଇନିଂସ ଖେଳିଥିଲେ। ଏହିପରି ଭାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା।

ଋଷଭ ପନ୍ତଙ୍କ ବିନା ପିଚକୁ ଓହ୍ଲାଇଥିବା ଦିଲ୍ଲୀର ବୋଲରମାନେ କାଇଲି ମେୟର୍ସଙ୍କ ବ୍ୟାଟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ସେହିପରି ଦଳର ଫିଲ୍ଡିଂ ନୈରାଶ୍ୟଜନକ ପ୍ରଦର୍ଶନ ଥିଲା। ଏହାପରେ ପ୍ରୀତି ଖାଁ, ମିଚେଲ ମାର୍ଶ, ସରଫରାଜ ଖାନ, ରୋଭମାନ ପାୱେଲଙ୍କ ଭଳି ବ୍ୟାଟସମ୍ୟାନ ବ୍ୟାଟିଂରେ କୌଣସି ଚମକ ଦେଖାଇ ପାରିନଥିଲେ।

ଡେଭିଡ ୱାର୍ଣ୍ଣର ଏବଂ ପ୍ରୀତି ଖାଁଙ୍କ ଓପନିଂ ଯୋଡିରୁ ଦିଲ୍ଲୀ ଏକ ବଡ଼ ପାର୍ଟନରସିପ ଆଶା କରିଥିଲା। ପ୍ରଥମ ଚାରି ଓଭରରେ ଦଳ ୪୦ ରନ କରିବା ପରେ ଲାଗିଥିଲା ଲକ୍ଷ୍ନୌ ଘରୋଇ ପିଚରେ ହାରିଯାଇପାରେ। ହେଲେ ପଞ୍ଚମ ଓଭରରୁ ମ୍ୟାଚର ମୋଡ କେ.ଏଲ ରାହୁଲଙ୍କ ଦଳ ସପକ୍ଷରେ ଯିବା ଆରମ୍ଭ କରିଥିଲା।

ଯଦିଓ ଡେଭିଡ ୱାର୍ଣ୍ଣର ୫୬ ରନ କରି ମ୍ୟାଚକୁ ନିଜ ଦଳ ସପକ୍ଷରେ ନେବାକୁ  ଚେଷ୍ଟା ଜାରି ରଖିଥିଲେ କିନ୍ତୁ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିଲା ତାହା ଦିଲ୍ଲୀର ରନର ବେଗ ବଢାଇବାରେ ବିଫଳ ହୋଇଥିଲା। ଆଉ ଦଳ ନିର୍ଦ୍ଧାରିତ ଓଭରରେ ୯ଟି ଓ୍ୱିକେଟ ହରାଇ ୧୪୩ ରନରେ ସୀମିତ ରହିଥିଲା।

Leave A Reply

Your email address will not be published.