Latest Odisha News

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫାଇଲ୍ ଫିଙ୍ଗିଲେ, ଏବେ ରାତି ଅଧିଆ ବଦଳି କରିଦେଲେ!

ଯାଜପୁର (ହିମାଂଶୁ କୁମାର ପାଢୀ): ଚର୍ଚ୍ଚାରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ କାର୍ଯ୍ୟକଳାପ। ପୌରାଧ୍ୟକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଅନ୍ତର୍ଦ୍ବନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଛି । ନିକଟରେ ପୌରାଧ୍ୟକ୍ଷା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ଉପରକୁ ଫାଇଲ୍ ଫିଙ୍ଗୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପରିଣାମ ସ୍ବରୂପ ମଙ୍ଗଳବାର ରାତିରେ ସଂପୃକ୍ତ ଅଧିକାରୀଙ୍କର ରାତିଅଧିଆ ବଦଳି ହୋଇଥିବା ସୂଚନା ମିଳିଛି। ଯାହାକି ଘଟଣାକ୍ରମକୁ ଅଧିକ ରୋମାଞ୍ଚ କରିଛି।

ସୂଚନା ମୁତାବକ ଗତ ଜୁନ ମାସରୁ ହିଁ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେବା ଆରମ୍ଭ ହୋଇଥିଲା । ମାତ୍ର ଗତ ଅକ୍ଟୋବର ମାସରେ ବାୟୋମାଟ୍ରିକ ମେସିନ ସଂଯୋଗ ଓ ଜିଓ ଟାୱାର ସ୍ଥାପନକୁ ନେଇ ଏହି ଫାଇଲ୍ ଫିଙ୍ଗା ଘଟଣା ଘଟିଥିବା ବେଳେ ଏହା ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାର ଭିଜୁଆଲ ଭାଇରାଲ ହେବା ପରେ ତାଙ୍କୁ ଅନ୍ୟତ୍ର ରାତିଅଧିଆ ବଦଳି ହୋଇଛନ୍ତି।

ସେପଟେ ଭିଜୁଆଲ୍ ଭାଇରାଲ ହେବା ପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷବ୍ୟକ୍ତ କରି ଏପରି କରିଥିବା କହିଛନ୍ତି।

ସୂଚନା ଅନୁଯାୟୀ ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର କାର୍ଯ୍ୟାଅଧିକାରୀଙ୍କୁ ଅନୁମତି ମାଗିଥିଲେ । ୮ ନମ୍ବର ୱାର୍ଡର କାଉନସିଲର ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି। ପୌର ପରିଷଦ ପକ୍ଷରୁ ଏହାର ସରଜମିନ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୋକ କୁମାର ରାଉତ ଏଥିପାଇଁ ଅନୁମତି ଦେଇଥିଲେ। ପରେ ଉକ୍ତ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ପୌରାଧ୍ୟକ୍ଷାଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାରି ଭିତରେ ସଂପୃକ୍ତ ଅଧିକାରୀଙ୍କର ନୟାଗଡ ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି। ଆଉ ଏହି ବଦଳି ପଛରେ ଶାସକ ବିଜୁ ଜନତା ଦଳର ନେତ୍ରୀ ପୌରାଧ୍ୟକ୍ଷାଙ୍କ ହାତ ଥିବା ଏବେ କୁହାଯାଉଛି। ଏ ସମ୍ପର୍କରେ ବ୍ୟାସନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ପଚାରିବାରୁ ସେ କହିଛନ୍ତି, “ମୁଁ ତାଙ୍କ ଉପରେ ଫାଇଲ୍ ଫିଙ୍ଗି ନଥିଲି। ମୁଁ କେବଳ ତାଙ୍କୁ ଫାଇଲ୍ ଫେରାଇଥିଲି।

Comments are closed.