Latest Odisha News

BREAKING NEWS

ଉପନିର୍ବାଚନ ଫଳାଫଳ; ଇଣ୍ଡି ମେଣ୍ଟ ଆଡକୁ ଢଳୁଛନ୍ତି ଜନତା

ନୂଆଦିଲ୍ଲୀ: ନିକଟରେ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଂଟ ୧୦ଟି ଆସନରେ ବିଜୟୀ ହୋଇଛି । ବିଜେପି ୨ ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଏହା ବଡଧରଣର ନିର୍ବାଚନ ନଥିଲେ ମଧ୍ୟ ଫଳାଫଳ ନେଇ କଂଗ୍ରେସ ଅତି ଉତ୍ସାହିତ ହୋଇପଡିଛି । ବିଜେପିର ଭୟ ଓ ଭ୍ରମର ଜାଲ ଭାଙ୍ଗିଯାଇଛି । ଉପନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ବୋଲି ରାହୁଲ ଗାନ୍ଧି କହିଛନ୍ତି । ବିଜେପି କିନ୍ତୁ ଉପନିର୍ବାଚନ ଫଳାଫଳକୁ ଗୁରୁତ୍ୱର ସହ ନେଇନାହିଁ । କେବଳ ପଶ୍ଚିମବଙ୍ଗରେ ବିଜେପିର କ୍ଷତି ହୋଇଛି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେପି ନେତା ଅମିତ ମାଲବୀୟ ।

ଯେଉଁ ୧୩ଟି ଆସନରେ ଉପନିର୍ବାଚନ ହୋଇଥିଲା, ସେଥିମଧ୍ୟରୁ ପୂର୍ବରୁ ବିଜେପି ପାଖରେ କେବଳ ୪ଟି ଆସନ ଥିଲା । ତିନିଟି ଆସନ ସ୍ୱାଧୀନ ବିଧାୟକଙ୍କ ଥିଲା । ମଧ୍ୟପ୍ରଦେଶରେ ବିଜେପି ଯେଉଁ ଆସନ ଜିତିିଛି, ତାହା ପୂର୍ବରୁ କଂଗ୍ରେସ ପାଖରେ ଥିଲା । ଉତ୍ତରାଖଣ୍ଡର ମଙ୍ଗଲୌର ଓ ବଦ୍ରିନାଥ ଆସନରେ ବିଜେପିକୁ ହରାଇଛି କଂଗ୍ରେସ । ମଙ୍ଗଲୌର ଆସନ ପୂର୍ବରୁ ବିଏସପି ଓ ବଦ୍ରିନାଥ ଆସନ କଂଗ୍ରେସ ପାଖରେ ଥିଲା ।

ଉପନିର୍ବାଚନରେ ହିମାଚଳ ପ୍ରଦେଶରେ ତିନି ଆସନ ମଧ୍ୟରୁ କଂଗ୍ରେସକୁ ୨ ଓ ବିଜେପିକୁ ଗୋଟିଏ ଆସନ ମିଳିଛି । ପଞ୍ଜାବରେ ଗୋଟିଏ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶାସକ ଆମ୍ ଆଦମୀ ପାର୍ଟି ସପକ୍ଷରେ ଯାଇଛି । ମଧ୍ୟପ୍ରଦେଶରେ ବିଜେପି ଜିତିଥିବା ଆସନ ପୂର୍ବରୁ କଂଗ୍ରେସ ପାଖରେ ଥିଲା । ପଶ୍ଚିମବଙ୍ଗରେ ସର୍ବାଧିକ ୪ଟି ଆସନରେ ହୋଇଥିଲା ଉପନିର୍ବାଚନ । ସମସ୍ତ ଆସନରେ ବାଜି ମାରିନେଇଛି ଶାସକ ଟିଏମସି । ଚାରି ଆସନ ମଧ୍ୟରୁ ତିନିଟି ଆସନ ପୂର୍ବରୁ ବିଜେପି ପାଖରେ ଥିଲେ ମଧ୍ୟ ସେମାନେ ପରେ ଟିଏମସିରେ ଯୋଗ ଦେଇଥିଲେ । ବିହାରର ରୁପୌଲି ଆସନ ବିଜେପିର ସହଯୋଗୀ ଜେଡିୟୁଠାରୁ ଛଡାଇ ଆଣିଛନ୍ତି ସ୍ୱାଧୀନ ପ୍ରାର୍ଥୀ ।

ସାଧାରଣତଃ ବିଧାନସଭା ଉପନିର୍ବାଚନରେ ଶାସକ ଦଳର ପ୍ରଭାବ ରହିଥାଏ । ଏଥର ବି ସେଭଳି ଦେଖିବାକୁ ମିିଳିଛି । ତେବେ, ହିମାଚଳ ପ୍ରଦେଶ ଉପନିର୍ବାଚନ ଫଳାଫଳକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି କିଛି ରାଜନୀତି ବିଶ୍ଲେଷକ । କାରଣ କିଛି ମାସ ତଳେ ଅପରେସନ ଲୋଟସ ଜରିଆରେ ବିଜେପି ଏଠାରେ କ୍ଷମତା ପରିବର୍ତ୍ତନ ପାଇଁ ପ୍ରୟାସ କରିଥିଲା ।  ପଶ୍ଚିମବଙ୍ଗ ଉପନିର୍ବାଚନ ଫଳାଫଳ ମଧ୍ୟ ବିଜେପିକୁ ନିରାଶ କରିବ ନିଶ୍ଚିତ । ରାଜ୍ୟରେ ଲୋକସଭା ନିର୍ବାଚନରେ ନିିରାଶାଜନକ ପ୍ରଦର୍ଶନ ପରେ ଉପନିର୍ବାଚନ ଫଳାଫଳ ବିଜେପି ପାଇଁ ଶକ୍ତ ଧକ୍କା ।

ରାଜନୀତି ବିଶ୍ଲେଷକଙ୍କ ମତରେ ଉପନିର୍ବାଚନ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲେ ମଧ୍ୟ ଏହାର ସାଙ୍କେତିକ ମହତ୍ତ୍ୱ ରହିଛି । ଲୋକସଭା ନିର୍ବାଚନର ଫଳାଫଳ ବିରୋଧୀ ଶିବିରକୁ ଉତ୍ସାହିତ କରିଥିଲା । ବିଜେପିକୁ ହରାଇ ହେବ ବୋଲି ଧାରଣା ଦୃଢୀଭୂତ ହୋଇଛି । ଏହାର ପ୍ରଭାବ ଉପନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି ବୋଲି କିଛି ବିଶେଷଜ୍ଞଙ୍କ ମତ । ଉପନିର୍ବାଚନ ଫଳାଫଳ ବିଜେପି ପାଇଁ ଏକ ଚେତାବନୀ ବୋଲି ମଧ୍ୟ ରାଜନୀତି ବିଶ୍ଲେଷକ କହିଛନ୍ତି । ନିକଟରେ ବିଜେପିରେ ଯୋଗ ଦେଇଥିବା ଅନ୍ୟଦଳର ନେତାଙ୍କୁ ପ୍ରାର୍ଥୀ କରି ବିଜେପି ଲୋକସଭା ନିର୍ବାଚନର ଭୁଲକୁ ପୁଣି ଦୋହରାଇଛି ବୋଲି ମତପ୍ରକାଶ ପାଇଛି ।

 

Comments are closed.