Latest Odisha News

ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ: କ୍ୟାବିନେଟ ବୈଠକରେ ମିଳଲା ୧୯ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଆଜି  ୧୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏହି ପ୍ରସ୍ତାବରେ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‌ ଅନ୍‌ ସ୍କିଲ୍‌ ପାଠ୍ୟକ୍ରମ ବ୍ୟବସ୍ଥା , ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଡିଜିଟାଲ-ଇ ପାଠ୍ୟକ୍ରମ, ରାଜ୍ୟର ୩୦ ଜିଲ୍ଲାରେ ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବା ନେଇ ବିଭିନ୍ନ ପ୍ରସ୍ତାବକୁ ମିଳଛି ମଞ୍ଜୁରୀ ।

ଏହି ପ୍ରସ୍ତାବ ମଧ୍ୟରେ ରହିଛି ନୂଆ ଯୋଜନା ‘ନୂତନ ଉନ୍ନତ ଅଭିଲାଷା’ ବା NUA  । ଏହି ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା ।

ସେହିପରି ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ  ମିଳିଛି । ଯାହାଦ୍ୱାରା ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତମାନଙ୍କରେ ବ୍ୟାଙ୍କିଙ୍ଗ ସୁବିଧା ମିଳି ପାରିବ। ୪୩୭୩ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷେ, ନାଇଜର ପରିସରରେ  କ୍ୟାନ୍ସର ହସ୍ପିଟାଲ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ଟାଟା ମେମୋରିଆଲ ପକ୍ଷରୁ ଏହି କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ୪୮.୮୪୨ ଏକର ଜମି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି  । ସେହିଭଳି ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନା ବାବଦକୁ କ୍ୟାବିନେଟରେ ଅର୍ଥ ମଞ୍ଜୁରୀ ମଧ୍ୟ ମିଳିଛି।

ଏହାବ୍ୟତୀତ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ଼ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକ ଯୁବତୀ ମାନଙ୍କ ପାଇଁ ଡିଜିଟାଲ ଓ ଇ ପାଠ୍ୟକ୍ରମ ରଖାଯିବା ନେଇ ବୈଠକରେ ମଞ୍ଜୁରୀ ମିଳଛି  । ରାଜ୍ୟ ର ୩୦ ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ ।

Comments are closed.