Latest Odisha News

ଦ୍ରାବିଡ୍‌ଙ୍କୁ ଟପି ପାରିବେ ଗମ୍ଭୀର ?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଭାବେ ଆରମ୍ଭ ହେବ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ । ୨୦୦୦ ମସିହା ପରଠାରୁ ଗମ୍ଭୀର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଷ୍ଟମ ହେଡ୍ କୋଚ୍ । ଗତ୨୪ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ଚାରି ବିଦେଶୀ ଓ ତିନି ଭାରତୀୟ କୋଚିଂ ଦେଇଛନ୍ତି ।
୨୦୦୦ ମସିହାରେ ନ୍ୟୁଜିଲାଣ୍ଡର ଜନ୍ ରାଇଟଙ୍କୁ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଥିଲା । ରାଇଟ୍ ସର୍ବାଧିକ ୫ ବର୍ଷ କୋଚ୍ ରହିଥିଲେ । ରାଇଟ୍ କୋଚ୍ ଥିବା ବେଳେ ଭାରତ ମୋଟ ୧୮୨ ଆନ୍ତର୍ଜାତିକ ମ୍ୟାଚ ଖେଳି ୮୯ରେ ବିଜୟୀ ହୋଇଥିବା ବେଳେ ୭୧ରେ ହାରିଥିଲା । କୋଚ୍ ଭାବେ ରାଇଟଙ୍କ ସଫଳତା ହାର ହେଉଛି ୪୮ ଦଶମିକ ୯ ପ୍ରତିଶତ । ରାଇଟ୍‌ଙ୍କ ସମୟରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଏକ ଲଢୁଆ ଟିମ୍ ହୋଇପାରିଥିଲା ଭାରତ ।

ରାଇଟଙ୍କ ପରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଗ୍ରେଗ୍ ଚାପେଲ୍ ହୋଇଥିଲେ କୋଚ୍ । ସଚିନ ତେନ୍ଦୁଲକରଙ୍କ ସହ ଚାପେଲଙ୍କ ମତଭେଦ ଚର୍ଚ୍ଚିତ ହୋଇଥିଲା । ଚାପେଲ କୋଚ୍ ଥିବା ବେଳେ ଭାରତ ୨୦୦୭ ବିଶ୍ୱକପ୍ କ୍ରିକେଟର ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡିଥିଲା । ଚାପେଲଙ୍କ ସମୟରେ ଭାରତ ୮୧ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୪୦ରେ ଜିତିଥିବା ବେଳେ ୩୧ରେ ହାରିଥିଲା ।

ଦକ୍ଷିଣ ଆଫ୍ରିକାର ଗ୍ୟାରୀ କ୍ରିଷ୍ଟେନ ୨୦୦୮ରେ ଟିମ୍ ଇଣ୍ଡିଆର କୋଚ୍ ହୋଇଥିଲେ । କ୍ରିଷ୍ଟେନ କୋଚ୍ ଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସଫଳତାର ଶିଖର ଛୁଇଁଥିଲା ଭାରତ । ୨୦୧୧ କ୍ରିକେଟ ବିଶ୍ୱକପ୍ ଜିତିବା ସହ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ଟିମ୍ ହୋଇଥିଲା ଭାରତ । ଗ୍ୟାରୀଙ୍କ ସମୟରେ ଭାରତ ୧୪୪ ମ୍ୟାଚରୁ ୮୫ରେ ବିଜୟୀ ହୋଇଥିବା ବେଳେ ୪୪ରେ ହାରିଥିଲା ।
ଗ୍ୟାରୀଙ୍କ ପରେ ଡଙ୍କାନ ଫ୍ଲେଚର ହୋଇଥିଲେ ଟିମ୍ ଇଣ୍ଡିଆ କୋଚ୍ । ଫ୍ଲେଚରଙ୍କ ଅଧୀନରେ ଭାରତ ୧୭୧ଟି ମ୍ୟାଚ ଖେଳି ୯୨ଟିରେ ଜିତିଥିବା ବେଳେ ୬୨ରେ ହାରିଥିଲା ।

ଫ୍ଲେଚରଙ୍କ ପରେ ଅନୀଲ କୁମ୍ବଲେ ୨୦୧୬ରେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ନିଯୁକ୍ତ ହୋଇଥିଲେ । ବିରାଟ କୋହଲୀଙ୍କ ସହ ତାଙ୍କର ବିବାଦ ଚର୍ଚ୍ଚିତ ହୋଇଥିଲା । କୁମ୍ବଲେଙ୍କ କୋଚିଂରେ ଭାରତ ୩୭ଟି ମ୍ୟାଚରୁ ୨୩ ଜିତିଥିଲା । ୮ଟିରେ ପରାସ୍ତ ହୋଇଥିଲା ।

କୁମ୍ବଲେଙ୍କ ପରେ ରବି ଶାସ୍ତ୍ରୀ ହୋଇଥିଲେ ହେଡ୍ କୋଚ୍ । ୨୦୧୭ରୁ ୨୦୨୧ ଯାଏଁ କୋଚ୍ ଥିଲେ ଶାସ୍ତ୍ରୀ । ଶାସ୍ତ୍ରୀଙ୍କ କୋଚିଂରେ ଦୁଇ ଦୁଇ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିିଥିଲା ଭାରତ । ଶାସ୍ତ୍ରୀ କୋଚ୍ ଥିବା ବେଳେ ଭାରତ ୧୮୪ଟି ମ୍ୟାଚ ଖେଳି ୧୨୧ଟିରେ ଜିତିଥିବା ବେଳେ ୫୩ରେ ହାରିଥିଲା ।
ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ ହୋଇଥିଲେ ଟିମ୍ ଇଣ୍ଡିଆ କୋଚ୍ । ଦ୍ରାବିଡଙ୍କ ସମୟରେ ଗୋଟିଏ ବିଶ୍ୱକପ୍ ବିଜୟ ସହ ଦୁଇଟି ଆଇସିସି ଟୁର୍ଣ୍ଣାମେଂଟର ଫାଇନାଲ ଖେଳିଛି ଭାରତ । ଦ୍ରାବିଡଙ୍କ କୋଚିଂରେ ଭାରତ ୧୪୪ ମ୍ୟାଚ ଖେଳି, ୧୦୩ଟିରେ ବିଜୟୀ ହୋଇଥିବା ବେଳେ ୩୬ଟିରେ ପରାସ୍ତ ହୋଇଥିଲା । ଦ୍ରାବିଡଙ୍କ ସଫଳତା ହାର ହେଉଛି ୭୧ ଦଶମିକ ୫ ପ୍ରତିଶତ । ରେକର୍ଡ ଦୃଷ୍ଟିରୁ ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ସଫଳ କୋଚ୍ ଭାବେ କୁହାଯାିପାରିବ । ତେବେ ତାଙ୍କୁ କଣ ଟପିପାରିବେ ଗୌତମ ଗମ୍ଭୀର ?

Comments are closed.