ଭୁବନେଶ୍ବର : ଟେଷ୍ଟ କ୍ରିକେଟ୍ରେ ଦ୍ୱିଶତକ ଓ ତ୍ରିଶତକ ତ ଅନେକ ଦେଖିଥିବେ । କିନ୍ତୁ ୪୦୦ ରନ୍ର ରେକର୍ଡ ମାତ୍ର ଥରେ ଦେଖିବାକୁ ମିଳିଛି । ଏହି ବିରଳ ରେକର୍ଡ ରହିଛି ଦୁନିଆର ଅନ୍ୟତମ ମହାନ କ୍ରିକେଟର୍ ବ୍ରାଏନ୍ ଚାର୍ଲସ ଲାରାଙ୍କ ନାଁରେ । ୱେଷ୍ଟଇଣ୍ଡିଜର ଷ୍ଟାଇଲିସ ବାମହାତୀ ବ୍ୟାଟରଙ୍କ ଏହି ବିଶ୍ୱ କୀର୍ତ୍ତିମାନକୁ ୨୦ ବର୍ଷ ପୂରିଥିଲେ ବି ଏହା ଅତୁଟ ରହିଛି । ଲାରାଙ୍କ ଅବସର ପରେ ଅନେକ କ୍ରିକେଟର ଆସିଛନ୍ତି, ଯିଏ ଟେଷ୍ଟରେ ଦ୍ୱିଶତକ ଓ ତ୍ରିଶତକ ମାରିଛନ୍ତି, କିନ୍ତୁ ୪୦୦ ରନର ମାଇଲଖୁଣ୍ଟ ପାଖରେ ପହଞ୍ଚି ପାରିନାହାନ୍ତି । କିନ୍ତୁ ଖୁବଶୀଘ୍ର ଭାଙ୍ଗିବାକୁ ଯାଉଛି ଲାରାଙ୍କ ଏହି ଐତିହାସିକ ଇନିଂସ । ଆଉ ଏହି ଅସମ୍ଭବକୁ ସମ୍ଭବ କରିବେ ଜଣେ ଭାରତୀୟ ।
ଖୋଦ୍ ଲାରା ସେହି ଭାରତୀୟ ବ୍ୟାଟରଙ୍କ ନାଁ ମଧ୍ୟ ସର୍ବସାଧାରଣରେ କହିସାରିଛନ୍ତି । ଲାରାଙ୍କ ମତରେ ୨୨ ବର୍ଷୀୟ ଯୁବ ବାମହାତୀ ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ପାଖରେ ୪୦୦ ରନ୍ର ରେକର୍ଡ ଭାଙ୍ଗିବାର ପୂରା ସାମର୍ଥ୍ୟ ରହିଛି । ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଲାରା । ଲାରା କହିଛନ୍ତି, ଯଦି କେଉଁ ଖେଳାଳି ମୋର ୪୦୦ ରନ୍ର ରେକର୍ଡ ଭାଙ୍ଗିବାର ସାମର୍ଥ୍ୟ ରଖିଛନ୍ତି, ସେ ହେଉଛନ୍ତି ଯଶସ୍ୱୀ ଜୟସ୍ୱାଲ । ଏହି ୨୨ ବର୍ଷୀୟ କ୍ରିକେଟ୍ରେ ଟେଷ୍ଟରେ ଦୁଇଟି ଦ୍ୱିଶତକ ମାରିଛନ୍ତି । ଏହାଛଡ଼ା ଟେଷ୍ଟ କ୍ରିକେଟ୍ ତ୍ରିଶତକ ଓ ୪୦୦ ସେହି ଖେଳାଳି ମାରିପାରିବେ, ଯେଉଁମାନେ ଦ୍ରୁତ ଗତିରେ ରନ୍ କରିବାର କ୍ଷମତା ରଖିଛନ୍ତି । ଆଉ ଏସବୁ ଯଶସ୍ୱୀଙ୍କ ପାଖରେ ଭରପୂର ରହିଛି । ସେ ଟେଷ୍ଟରେ ଦ୍ରୁତ ରନ୍ କରିବା ସହ ବଡ଼ ସ୍କୋର କରିବାରେ ସକ୍ଷମ । ତେଣୁ ଜୟସ୍ୱାଲଙ୍କ ପାଇଁ ତାଙ୍କ ରେକର୍ଡ ବିପଦରେ ପଡ଼ିପାରେ ବୋଲି କହିଛନ୍ତି ଲାରା ।
ଭାରତୀୟ କ୍ରିକେଟରଙ୍କ ପ୍ରତି ଲାରାଙ୍କ ଭଲପାଇବା କିଛି ନୂଆ ନୁହେଁ । ମାଷ୍ଟର ବ୍ଲାଷ୍ଟର ସଚିିନ ତେନ୍ଦୁଲକରଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟର ମାନନ୍ତି ଲାରା । ଖୋଦ୍ ଲାରା ମଧ୍ୟ ଦୁନିଆର ଅନ୍ୟତମ ମହାନ ଖେଳାଳି । ଲାରାଙ୍କ ନାଁରେ ଟେଷ୍ଟରେ ପ୍ରାୟ ୧୨ହଜାର ରନ୍ ଏବଂ ଦିନିିକିଆରେ ୧୦ହଜାରରୁ ଅଧିକ ରନ୍ ରହିଛି । ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ୪୦୦ ରନ୍ର ମାରାଥନ ଇନିଂସ ଖେଳିଥିଲେ ଲାରା ।
Comments are closed.