ନୂଆଦିଲ୍ଲୀ : ଭାରତ ସମେତ ଅନେକ ଦେଶରେ କିଛି ବୃତ୍ତିକୁ ନେଇ ଡ୍ରେସ କୋଡ୍ ରହିଛି। ଯେମିତି ଓକିଲଙ୍କ ପାଇଁ କଳା କୋଟ ସେହିପରି ଡାକ୍ତରଙ୍କ ପାଇଁ ଧଳା କୋଟ ଆଉ ପୋଲିସଙ୍କ ପାଇଁ ଖାକି ପୋଷାକ । ଏପରି ଅନ୍ୟ କିଛି ବୃତ୍ତିରେ ମଧ୍ୟ ଭିନ୍ନ ଭିନ୍ନ ଡ୍ରେସ କୋଡ୍ ରହିଛି। ହେଲେ ଆପଣଙ୍କ ମନରେ ବି ବେଳେବେଳେ ଏହି ପ୍ରଶ୍ନ ଆସୁଥିବ ଯେ କ’ଣ ଜଣେ ମହିଳା ନିଜ ଧର୍ମର କଥା କହି କୋର୍ଟରେ ବୁର୍ଖା ପିନ୍ଧି ଓକିଲାତି କରିପାରିବେ କି ? ଆସନ୍ତୁ ଜାଣିବା ଏପରି ସ୍ଥିତିରେ ନିୟମ କ’ଣ କହୁଛି।
କେବଳ ଭାରତ ନୁହେଁ ପ୍ରୟା ସବୁ ଦେଶରେ ଓକିଲଙ୍କ ପୋଷାକ ହେଉଛି କଳା କୋଟ୍। ହେଲେ ନିକଟରେ ଜାମ୍ମୁ-କାଶ୍ମୀରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଓକିଲଙ୍କ ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା। ଘରୋଇ ହିଂସା ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଜଣେ ମହିଳା ଓକିଲ କୋର୍ଟରେ ହାଜର ହୋଇଥିଲେ । ଏହି ସମୟରେ ମହିଳା ଜଣକ ଓକିଲ ପୋଷାକ ପିନ୍ଧିବା ସହ ବୁର୍ଖା ମଧ୍ୟ ପିନ୍ଧିଥିଲେ। ଆଉ ଯେତେବେଳେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେଠାରେ ରୋଚକ ଘଟଣା ଦେଖିବାକୁ ମିଳିଥିଲା।
ନ୍ୟାୟିକ ପ୍ରକ୍ରିୟା ସମୟରେ ଯେତେବେଳେ ଜଷ୍ଟିସ ରାହୁଲ ଭାରତୀ ଏହି ମହିଳା ଓକିଲଙ୍କୁ ତାଙ୍କ ପରିଚୟ ଦେବା ପାଇଁ ବୁର୍ଖା ହଟାଇବାକୁ କହିଥିଲେ, ସେ କିନ୍ତୁ ବର୍ଖା ହଟାଇବାକୁ ମନା କରିଦେଇଥିଲେ।
କୋର୍ଟରେ ଡ୍ରେସ କୋଡ୍ ନେଇ କ’ଣ ରହିଛି ନିୟମ
- ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ନିୟମର ଅଧ୍ୟାୟ ଚତୁର୍ଥ (ଭାଗ ଷଷ୍ଠ) ରେ ଓକିଲଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ଉଲ୍ଲେଖ ରହିଛି। ଯେଉଁଥିରେ ପୁରୁଷ ଏବଂ ମହିଳା ଓକିଲଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ରହିଛି
- ନିୟମ ଅନୁଯାୟୀ ମହିଳା ଓକିଲଙ୍କ ପାଇଁ ଧଳା କଲର, ଧଳା ବ୍ୟାଣ୍ଡ ସହିତ ବ୍ଲାକ୍ ଫୁଲ୍ ସ୍ଲିଭ୍ ଜ୍ୟାକେଟ୍ ପୋଷାକ ରହିଛି।
- ଏହା ବ୍ୟତୀତ, ସାଢ଼ୀ ପିନ୍ଧିପାରିବେ ଲମ୍ବା ସ୍କର୍ଟ (ଧଳା, କଳା କିମ୍ବା ପ୍ରିଣ୍ଟ ହୋଇନଥିବ) । ଧଳା କିମ୍ବା କଳା ରଙ୍ଗର ଓଢ଼ଣାରେ କୌଣସି ଡିଜାଇନ୍ ହୋଇନଥିବ, ଫ୍ଲେୟାର୍, କିମ୍ବା ପଞ୍ଜାବୀ ପୋଷାକ, ଚୁରିଦାର-କୁର୍ତ୍ତା, କିମ୍ବା ସାଲୱାର-କୁର୍ତ୍ତା ପିନ୍ଧି ପାରିବେ। ପାରମ୍ପାରିକ ପୋଷାକ ମଧ୍ୟ ପିନ୍ଧିପାରିବେ, ଯଦି ଏହା ଏକ କଳା କୋଟ୍ ଏବଂ ବ୍ୟାଣ୍ଡ ସହିତ ଥାଏ।
ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖ ଉଚ୍ଚ ନ୍ୟାୟଳୟରେ ମହିଳା ଜଣକ ବୁର୍ଖା ପିନ୍ଧି ଓକିଲାତି କରିବା ଘଟଣାରେ କୋର୍ଟ ଓକିଲଙ୍କ ପୋଷକକୁ ନେଇ ସ୍ପଷ୍ଟିକରଣ ଦେଇଥିଲେ। ବିଚାରପତି କହିଥିଲେ ଯେ କୋର୍ଟରେ ଓକିଲାତି କରିବା ସମୟରେ ନିଜର ଚେହେରା ଘୋଡ଼ାଇ ପାରିବେ ନାହିଁ। ସେ ଆହୁରି କହିଥିଲେ ଯେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିୟମ ଅନୁସାରେ କୋର୍ଟରେ ପୋଷାକ ପିନ୍ଧିବାକୁ ହେବ।