Latest Odisha News

କାନାରା ବ୍ୟାଙ୍କ ମ୍ୟାନେଜର ମାନସିକ ଅବସାଦ ପାଇଁ ନିଜ ଇଚ୍ଛାରେ ଗାଏବ ହୋଇଥିଲେ: ଏସପି

କଟକ: ତିନି ଦିନ ଧରି ନିଖୋଜ ଥିବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁରୁବାର ଗଞ୍ଜାମ ଜିଲ୍ଲା ଗିରିସୋଲା ଅଞ୍ଚଳରୁ ଉଦ୍ଧାର କରିଛି।
ମାନସିକ ଅବସାଦ ଯୋଗୁଁ ମ୍ୟାନେଜର ତପନ ସାହୁ ନିଜେ ନିଖୋଜ ହୋଇଯାଇଥିଲେ ବୋଲି କଟକ ଅତିରିକ୍ତ ଏସପି (ଗ୍ରାମୀଣ) ଦେବବ୍ରତ ବରାଳ ସୂଚନା ଦେଇଛନ୍ତି।

ପଚରାଉଚରା ବେଳେ ତପନ ସାହୁ ମାନସିକ ଚାପରେ ଥିବା ସ୍ୱୀକାର କରିଥିଲେ ମଧ୍ୟ ତାଙ୍କ ମାନସିକ ଚାପର ପ୍ରକୃତ କାରଣ ସମ୍ପର୍କରେ କିଛି କହି ନଥିଲେ। ଏବେ ବି ସେ ମାନସିକ ଚାପରେ ରହିଥିବା ବେଳେ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସପି କହିଛନ୍ତି।

ଆନ୍ଧ୍ରପ୍ରଦେଶରୁ ଗଞ୍ଜାମ ଜିଲ୍ଲାର ଗିରିସୋଲା ଯାଉଥିବା ବେଳେ ତପନ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ଗୋଳନ୍ଥରା ପୁଲିସ ତାଙ୍କୁ ଉଦ୍ଧାର କରିବା ସହ ହଠାତ୍ ନିଖୋଜ ହେବା ନେଇ ପଚରାଉଚରା କରିଥିଲା। ପରେ ତାଙ୍କୁ ବାଙ୍କୀସ୍ଥିତ ବୈଦେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା।

ତପନ ସାହୁ ବ୍ୟାଙ୍କର କଳାପଥର ଶାଖାକୁ ନିଜ ଅଫିସ କାମରେ ଯାଇ ବଡ଼ମ୍ବା ଅଭିମୁଖେ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ବିଳମ୍ବିତ ରାତି ଯାଏଁ ସେ ଘରେ ନ ପହଞ୍ଚିବାରୁ ଏବଂ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ସମ୍ପର୍କୀୟମାନେ ତାଙ୍କ ସହ ଯୋଗାଯୋଗ କରି ନ ପାରିବାରୁ ସହକର୍ମୀ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।
ବ୍ୟାଙ୍କ ମ୍ୟାନେଜର ଏବେ ସୁରକ୍ଷିତ ଥିବା ବେଳେ ଖୁବ୍ ଶୀଘ୍ର ତାଙ୍କୁ ତାଙ୍କ ପରିବାର ସହ ଭେଟି ଦିଆଯିବ ବୋଲି ସୂଚନା ମିଳିଛି।

Comments are closed.