Latest Odisha News

BREAKING NEWS

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର କଲା ନିରାଶ

ନୂଆଦିଲ୍ଲୀ: ୟୁକ୍ରେନରୁ ଜୀବନ ବଞ୍ଚାଇ ଭାରତକୁ ଫେରି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଝଟକା। ଭାରତୀୟ ମେଡିକାଲ କଲେଜରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବ ନାହିଁ ଆଡମିଶନ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଏହି ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏବେ ପ୍ରଶ୍ନ ଉଠିଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ସମାପ୍ତି ଦୃଶ୍ୟମାନ ହେଉନାହିଁ। ତେବେ ଭବିଷ୍ୟତରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ କିପରି ହେବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଭଳି ପରିସ୍ଥିତିରେ ସରକାର ସେମାନଙ୍କ ହିତରେ ନିଷ୍ପତ୍ତି ନେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏହି ମାମଲାରେ କେନ୍ଦ୍ର କହିଛି ଯେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ଦିଆଯାଇପାରିବ ନାହିଁ। ସୁପ୍ରିମକୋର୍ଟରେ କେନ୍ଦ୍ରର ଯୁକ୍ତି ପରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଛି। ତେବେ କେନ୍ଦ୍ର ଏହା ମଧ୍ୟ କହିଛି ଯେ ୟୁକ୍ରେନର କଲେଜଗୁଡ଼ିକର ଛାତ୍ରଛାତ୍ରୀ ନିଜ କଲେଜରେ ଅନୁମୋଦନ ନେବା ପରେ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିପାରିବେ।

ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସେହିଭଳି ସରକାର କୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରୁଥିବା ବେଳେ କହିଛନ୍ତି ଯେ NEET ସ୍କୋର କିମ୍ବା କଲେଜ ଫି କମ୍ ଥିବାରୁ ଛାତ୍ରମାନେ ୟୁକ୍ରେନର ମେଡିକାଲ ବିଶ୍ୱବିଦ୍ୟାଳୟ ଚୟନ କରିଛନ୍ତି। ଯଦି NEET ରେ କମ୍ ମାର୍କ ସ୍କୋର କରୁଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ, ତେବେ ଅତୀତରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଆପତ୍ତି ଉଠାଇ ପାରନ୍ତି। ଏହା ସହିତ ସରକାର କହିଛନ୍ତି ଯେ ଭାରତର କଲେଜଗୁଡ଼ିକରେ ନିଟ୍ ରେ କମ୍ ସ୍କୋର୍ କରିଥିବା ଛାତ୍ରଛାତ୍ରୀଙ୍କର ଆଡମିଶନ କରିବା ଦେଶରେ ଡାକ୍ତରୀ ଶିକ୍ଷାର ମାନ ଉପରେ ପ୍ରଭାବ ପକାଇବ।

ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଆଫିଡେଭିଟ୍‌ରେ କେନ୍ଦ୍ର କହିଛି ଯେ ଯଦି ଏହି ଛାତ୍ରଛାତ୍ରୀ କମ୍ ମାର୍କ ପାଇବା ପରେ ମଧ୍ୟ ଦେଶର ଅଗ୍ରଣୀ କଲେଜରେ ଆଡମିଶନ ନିଅନ୍ତି, ତେବେ ସେହି ଛାତ୍ରମାନଙ୍କ ପ୍ରତି ଅନ୍ୟାୟ ହେବ ଯେଉଁମାନେ କମ୍ ମାର୍କ କାରଣରୁ କଲେଜରେ ସିଟ୍ ପାଇନାହାଁନ୍ତି। କେନ୍ଦ୍ର ଏହା ମଧ୍ୟ କହିଛି ଯେ ଯଦି ଘରୋଇ କଲେଜଗୁଡ଼ିକରେ ଆଡମିଶନ ଦିଆଯାଏ, ତେବେ ଏହି କଲେଜଗୁଡ଼ିକର ଫି ୟୁକ୍ରେନର କଲେଜ ତୁଳନାରେ ବହୁତ ଅଧିକ ହେବ। ଯାହା ଛାତ୍ରଛାତ୍ରୀ ଦେଇ ପାରିବେ ନାହିଁ।

ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତୀୟ କଲେଜରେ ଆଡମିଶନ ଦେବା ଦାବିରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ସରକାର ଯେଉଁଭଳି ଭାବରେ କୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିଥିଲେ, ଏଥିରୁ ଜଣାପଡୁଛି ଯେ ଛାତ୍ରଛାତ୍ରୀଙ୍କ ଅନ୍ୟ ଦେଶରେ ପଢିବାକୁ ଅନୁମତି ଦେବା ସପକ୍ଷରେ ଅଛନ୍ତି। କିନ୍ତୁ ଭାରତୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ଦେବାରେ ମତଭେଦ ରହିଛି। ଯଦିଓ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦେଇନାହାଁନ୍ତି, କିନ୍ତୁ ଖୁବ ଶୀଘ୍ର କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଚଳିତ ବର୍ଷ ଫେବୃଆରୀ 24 ରେ ଆରମ୍ଭ ହୋଇଥିଲା। ଯାହାକି ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ।

Leave A Reply

Your email address will not be published.