ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଜ୍ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍କୁ ଡାକିଥିଲେ ପରିବାର ଲୋକେ । ନିଆଁ ଲିଭାଇବା ବେଳେ ଗୋଟିଏ ରୁମ୍ରୁ ପୁଳାପୁଳା ଟଙ୍କା ଜବତ କରାଯାଇଛି । ତେବେ ଅଗ୍ନିକାଣ୍ଡ ଓ ପୁଳାପୁଳା ଟଙ୍କା ଜବତ ବେଳେ ଘରେ ନଥିଲେ ଜଜ୍ । ଘଟଣା ପରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଆକ୍ସନ ନିଆଯାଇ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି ।
ସୂଚନା ଅନୁସାରେ, ଗତ ବୁଧବାର ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବା ବେଳେ ବିଚାରପତିଙ୍କ ଘରର ଏକ ବଖରାରୁ ଠାବ ହୋଇଥିଲା ଧନର ପାହାଡ । ଏତେ ମାତ୍ରାରେ ନଗଦ ଟଙ୍କା ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀ ତାଜୁବ୍ ହୋଇଯାଇଥିଲେ।
ଏହାପରେ ସମସ୍ତ ଟଙ୍କାକୁ ଜବତ କରିଥିଲା ପୋଲିସ ଓ ଅଗ୍ନିଶମ ବିଭାଗ । ଏହା ପରେ ଖବର ପହଞ୍ଚିଥିଲା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଖରେ । ମାମଲାକୁ ଗୁରୁତର ସହକାରେ ନେଇ ତୁରନ୍ତ କଲେଜିୟମ୍ ବୈଠକ ଡାକାଇଥିଲେ ସିଜେଇ ସଞ୍ଜିବ ଖାନ୍ନା । କଲେଜିୟମର ନିଷ୍ପତ୍ତି ଅନୁସାରେ ଜଷ୍ଟିସ୍ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି ।
Comments are closed.