ଆଲଜେରିଆ : ପବିତ୍ର ରମଜାନ ମାସ ଚାଲିଛି । ଏହି ଅବସରରେ, ସମଗ୍ର ବିଶ୍ୱରେ ଇସଲାମର ଅନୁଗାମୀମାନେ ଉପବାସ ରହିବା ସହ ଏକାଠି ନମାଜପାଠ କରିଥାନ୍ତି । ଆଜିକାଲି ମୁସଲମାନମାନଙ୍କ ରମଜାନ ଏବଂ ଇଫତାର ସମ୍ବନ୍ଧୀୟ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, କିନ୍ତୁ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆନନ୍ଦ ଦେଇଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଲଜେରିଆରେ ଏକ ମସଜିଦ୍ରେ ସମୂହ ନମାଜ ପାଠ କରାଯାଉଛି । ଜଣେ ଇମାମ ନମାଜ ପାଠ କରୁଥିବା ବେଳେ ତାଙ୍କ ପଛରେ ଅନେକ ମୁସଲିମ ଭାଇମାନେ ଉପସ୍ଥିତ ଅଛନ୍ତି । ହଠାତ୍ ଏକ ବିଲେଇ ଏଠାକୁ ଆସି ଇମାମଙ୍କ ଚାରିପଟେ ବୁଲୁଛି । ଉପରକୁ ଅନେଇକି ବି ଦେଖୁଛି । କେବଳ ସେତିକି ନୁହେଁ ଇମାମଙ୍କ ଡ଼୍ରେସକୁ ପାଟିରେ ଟାଣିବା ସହ ତାଙ୍କ ଗୋଡ଼ରେ ଘସି ବି ହେଉଛି । ଇମାମ ଏହା ଜାଣୁଥିଲେ ବି ସେ ତାଙ୍କର ନମାଜ ପାଠ ବନ୍ଦ କରି ନ ଥିଲେ କି ବିଚଳିତ ବି ହେଉ ନ ଥିଲେ । କିଛି ସମୟ ପରେ ବିଲେଇଟି ତାଙ୍କ ପେଟ ଉପରକୁ ଡ଼େଇଁ ଧୀରେ ଧୀରେ ଯାଇ କାନ୍ଧରେ ବସିଗଲା । ତଥାପି ଇମାମଙ୍କ ଅଙ୍ଗଭଙ୍ଗୀରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିଲା । ଇମାମ ଆଖି ବନ୍ଦ କରି ନମାଜ ପାଠ କରୁଥିବା ବେଳେ ବାମ ହାତରେ ବିଲେଇକୁ ଆଉଁସିବାକୁ ଲାଗିଲେ । ବିଲେଇଟି କିଛି ସମୟ କାନ୍ଧ ଉପରେ ବସି ରହିବା ପରେ ତଳକୁ ଡ଼େଇଁ ଚାଲିଯାଇଥିଲା । କିନ୍ତୁ ଇମାମଙ୍କ ଉପରକୁ ବିଲେଇ ଚଢିଯାଇଥିଲେ ବି ଇମାମ ତାଙ୍କ ପ୍ରାର୍ଥନା ବନ୍ଦ କରି ନଥିଲେ । ଯେଉଁକାରଣରୁ ଇମାମଙ୍କୁ ଅନେକ ପ୍ରଶଂସା ମିଳିଛିି ।
Comments are closed.