Latest Odisha News

BREAKING NEWS

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତରେ, ଅଶ୍ୱିନୀଙ୍କ ମନ୍ତବ୍ୟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧୦୦ ଜଣ ଆହତ ହୋଇଛନ୍ତି। ଏବେ ରେଲଓ୍ବେ ବୋର୍ଡର ସୁପାରିଶ କ୍ରମେ ଘଟଣାର ତଦନ୍ତ ଭାର ସିବିଆଇ ନେଇଥିବା ସୂଚନା ରହିଛି। ଏହାପୂର୍ବରୁ ବାଲେଶ୍ୱର ଜିଆରପି ଥାନାରେ ଏତଲା ରୁଜୁ ହୋଇଛି। ଦୁଇଟି ପାସେଞ୍ଜର ଟ୍ରେନ୍ ଓ ଗୋଟିଏ ମାଲବାହୀ ଟ୍ରେନ୍ ସହ ଘଟିଥିବା ଏହି ଘଟଣାର ତିନି ଦିନ ପରେ ସିବିଆଇ ତଦନ୍ତ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ବରରେ ପହଞ୍ଚିସାରିଛି ସିବିଆଇ।

ଏହି ମାମଲା ଭାରତୀୟ ପିଙ୍ଗଳ କୋଡ୍ ଏବଂ ରେଳ ଆଇନର ବିଭିନ୍ନ ଧାରାରେ ଦାୟର କରାଯାଇଛି। ଯେଉଁଥିରେ ଅବହେଳା, ସୁରକ୍ଷାକୁ ବିପଦରେ ପକାଇବା ଏବଂ ମୃତ୍ୟୁ ଘଟାଇବା ଆଦି ଅଭିଯୋଗ ରହିଛି। ସିବିଆଇ ଏହି ମାମଲାକୁ ଦିଲ୍ଲୀ ମୁଖ୍ୟାଳୟରେ ଥିବା ସ୍ୱତନ୍ତ୍ର କ୍ରାଇମ୍ ୟୁନିଟକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ପ୍ରୋଟୋକଲ୍ ଅନୁଯାୟୀ ସିବିଆଇ ସ୍ଥାନୀୟ ପୁଲିସର ଏତଲାକୁ ଆଧାର କରି ନିଜ ମାମଲା ଭାବେ ପୁଣି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ।

ରବିବାର ସନ୍ଧ୍ୟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ବୟାନରେ ଏହି ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିବା କଥା କହିଥିଲେ। ଟ୍ରେନର ଉପସ୍ଥିତିକୁ ଚିହ୍ନଟ କରିବା ପାଇଁ ଦାୟୀ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ସମ୍ଭାବ୍ୟ ଅନ୍ତର୍ଘାତ ଓ ଟ୍ୟାମ୍ପରିଙ୍କୁ ରେଳ ଅଧିକାରୀମାନେ ଦୁର୍ଘଟଣାର ଅନ୍ତର୍ନିହିତ କାରଣ ବୋଲି ସଙ୍କେତ ଦେଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ରାଜ୍ୟ କଂଗ୍ରେସ କହିଛି ଏହା ଯଦି ବୈଷୟିକ ତ୍ରୁଟି ବୋଲି ବିଭାଗୀୟ ମନ୍ତ୍ରୀ କହୁଛନ୍ତି ତାହାଲେ ସିବିଆଇ କିଭଳି ତଦନ୍ତ କରିବ। କାରଣ ସିବିଆଇ ଅପରାଧିକ ମାମଲାର ତଦନ୍ତ କରିବାର ଅଧିକାର ରଖିଛି।

କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ରବିବାର ସକାଳେ ମନ୍ତ୍ରୀ କହିଲେ ଦୋଷୀ କିଏ ଚିହ୍ନଟ ସରିଛି। ଆଉ ସଂଧ୍ୟାରେ କହିଲେ ଇଣ୍ଟରଲକିଂ ବିଫଳତା ପାଇଁ ଦୁର୍ଘଟଣା ତେଣୁ ସିବିଆଇ ତଦନ୍ତ ପାଇଁ ସୁପାରିଶ ହୋଇଛି। ମନ୍ତୀଙ୍କ କଥାରେ ତାଳମେଳ ରହୁନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସିବିଆଇ ତଦନ୍ତ ସ୍ୱାଗତଯୋଗ୍ୟ। ଯିଏ ଦୋଷୀ ସେ ଦଣ୍ଡ ପାଇବା ଉଚିତ।

Leave A Reply

Your email address will not be published.