Latest Odisha News

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ୨୬ ତାରିଖକୁ ଘୁଞ୍ଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସାମାନ୍ୟ ଆଶ୍ୱସ୍ତି । ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଲା ଦିଲ୍ଲୀପ ରାୟ ଓ ଅନ୍ୟ ଦୋଷୀଙ୍କ ବିରୋଧରେ ଦଣ୍ଡ ଶୁଣାଣି । ଆଜି ମାମଲାରେ ଦଣ୍ଡ ବିଧାନ ଥିଲା । ଏହାକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସିବିଆଇ କୋର୍ଟ ଜଜ ଭାରତ ପରାଶର ।

୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ସେତେବେଳେ ବାଜପେୟୀ ସରକାରରେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଗତ ୬ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲ୍ଲୀପ ରାୟ ଓ ଆଉ ୫ ଜଣ ।

ଦୋଷୀଙ୍କ ମଧ୍ୟରେ ଅଛନ୍ତି କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜିଜ୍ ଲିମିଟେଡ, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଓ କାଷ୍ଟ୍ରନ୍ ମାଇନିଂ ଲିମିଡେଟ୍ ।

ଦିଲ୍ଲୀପ ରାୟ ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରାରେ ଦୋଷୀ ପ୍ରମାଣିତ ହୋଇଛନ୍ତି ।

Leave A Reply

Your email address will not be published.