Latest Odisha News

BREAKING NEWS

ଘାଂଟୁଛି ସିବିଆଇ, ସନ୍ଦେହ ଘେରରେ ପୂର୍ବତନ ପ୍ରିନସିପାଲ

କୋଲକାତା: କୋଲକାତା ଆରଜି କର ମେଡିକାଲ ଓ ହସପିଟାଲ୍ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ଦିନକୁ ଦିନ ଜଟିଳା ହେଉଛି । ମାମଲାରେ ସିବିଆଇ ଜାରି ରଖିଛି ଖୋଳତାଡ । ଘଟଣାର ଟିକିନିଖି ତଦନ୍ତ କରୁଛି ସିବିଆଇ । ଆରଜି କର ହସପିଟାଲର ଜଘନ୍ୟ ଘଟଣା ଦେଶବ୍ୟାପୀ ଜନଆକ୍ରୋଶ ସୃଷ୍ଟି କରିଥିବା ବେଳେ ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିପଡିଛି ସିବିଆଇ । ଏଣେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି ।

ମାସେ ପିଛା କରିଥିଲା ଅଭିଯୁକ୍ତ !

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପ୍ରତିଦିନ ନୂଆ ନୂଆ କଥା ସାମନାକୁ ଆସୁଛି । ଅଭିଯୋଗ ହୋଇଛି ଯେ, ପୀଡିତାଙ୍କୁ ଅଭିଯୁକ୍ତ ସଂଜୟ ରାୟ ମାସେ କାଳ ପିଛା କରିଥିଲା । ସଂଜୟ ସହ ଅନ୍ୟ କେହି ଏହି ଘଟଣାରେ ସଂପୃକ୍ତ ଥିଲେ କି ନାହିଁ, ସେ ନେଇ ତଦନ୍ତ କରୁଛି ସିବିଆଇ । ଆରଜି କର ମେଡିକାଲ କଲେଜ ଓ ଆଖପାଖ ଅଂଚଳର ସିସିଟିଭ ଫୁଟେଜ ଚେକ୍ କରୁଛି ଏଜେନ୍‌ସୀ ।

ସନ୍ଦେହ ଘେରରେ ପୂର୍ବତନ ପ୍ରିନସିପାଲ

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆରଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଘଟଣା ପରେ ଅଗଷ୍ଟ ୧୨ରେ ଇସ୍ତଫା ଦେଇଥିଲେ ଘୋଷ । ତାଙ୍କୁ ସିବିଆଇ ସମନ କରି ୮ ଘଂଟା କାଳ ମାରାଥନ ପଚରାଉଡରା କରିଛି । ଆରଜି କର୍ ହସପିଟାଲରୁ ଏକ ରାକେଟ୍ ପରିଚାଳିତ ହେଉଥିବା ଅଭିଯୋଗ ପରେ ପ୍ରିନସିପାଲ ପଦରୁ ଇସ୍ତଫା ଦେଇଥିଲେ ସନ୍ଦୀପ । ହସପିଟାଲର କିଛି ଡାକ୍ତରଙ୍କ ସମେତ ମୋଟ ୩୦ ଜଣଙ୍କୁ ପଚରାଉଚରା କରିସାରିଛି ସିବିଆଇ । ପୂର୍ବତନ ପ୍ରିନସିପାଲ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ଅଭିଯୋଗ ଆସିବାରେ ଲଗିଛି । ତେଣୁ ଏବେ ସନ୍ଦୀପ ଘୋଷଙ୍କୁ ଅଧିକ ଘାଂଟିବ ସିବିଆଇ ।

ଚାପରେ ଥିଲେ ପୀଡିତା ?

ଟ୍ରେନି ଡାକ୍ତରଙ୍କ ପରିବାର ଦିନକୁ ଦିନ ପୀଡିତାଙ୍କ ସଂପର୍କରେ ନୂଆ ନୂଆ ତଥ୍ୟ ଦେଉଛନ୍ତି । ଆରଜି କର ହସପିଟାଲରେ ପୀଡିତା ବେଶ୍ ଚାପରେ ରହୁଥିଲେ ବୋଲି ସିବିଆଇକୁ ସୂଚନା ଦେଇଛନ୍ତି ପରିବାର । ସେ କାହିଁକି ଚାପରେ ରହୁଥିଲେ ଓ ସେ ଲିଖିତ ଅଭିଯୋଗ କିଛି କରିଥିଲେ କି ନାହିଁ,ତାହା ପୂର୍ବତନ ପ୍ରିନସିପାଲଙ୍କଠାରୁ ଜାଣିବାକୁ ଚାହୁଁଛି ସିବିଆଇ । ପୂର୍ବତନ ପ୍ରିନିସିପାଲଙ୍କୁ ଜେରା ଜାରି ରଖିଛି ଯାଂଚ୍ ଏଜେନସୀ ।

ସିବିଆଇ ସ୍କାନରରେ ପୋଲିସ ଯାଂଚ୍‌

ଆରଜି କର ଜଘନ୍ୟକାଣ୍ଡରେ ବଢି ଚାଲିଛି ସିବିଆଇ ଯାଂଚର ପରିସର । ଏହି ମାମଲାରେ ରାଜ୍ୟ ପୋଲିସ କରିଥିବା ଯାଂଚକୁ ନେଇ ପ୍ରଶ୍ନ ଉଠିଛି । ସିବିଆଇ ପାଇଁ ବଡ ପ୍ରଶ୍ନ ହେଲା ଯେ, ପୀଡିତାଙ୍କୁ ଯଦି ହତ୍ୟା କରାଯାଇଛି, ତାହା ହେଲେ ହସପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ଆତ୍ମହତ୍ୟା ବୋଲି କାହିଁକି କୁହାଗଲା ? ହସପିଟାଲରେ ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଏହାକୁ ଅପ୍ରାକୃତିକ ମୃତ୍ୟୁ ବୋଲି କହି ତଦନ୍ତ ଆରମ୍ଭ କରିଥିଲା । ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ପ୍ରକୃତରେ ଉଦ୍ୟମ ହୋଇଥିବା କି ? ପୋଲିସର ଭୂମିକା ଏଥିରେ କ’ଣ ଥିଲା । ଏସବୁ ବିଚଳିତ କରୁଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ବ୍ୟସ୍ତ ସିବିଆଇ ।

 

Comments are closed.