Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍, ବରିଷ୍ଠ ଅଧିକାରୀଙ୍କୁ ସମନ୍ କରିବ ସିବିଆଇ!

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି। ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଢ଼ାଉ ବେଳେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦସ୍ତାବିଜ ଜବତ କରିବା ସହିତ ବରିଷ୍ଠ ଅଧିକାରୀଙ୍କୁ ପଚରା ଉଚରା କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି। ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଯେଉଁ ସୂଚନା ରହିଛି ତାର ଏବେ ପ୍ରମାଣ ଖୋଜିବାକୁ ସିବିଆଇ ତନାଘନା କରୁଛି। ପ୍ରାଥମିକ ଭାବେ ସେଭଳି କୌଣସି ସୂଚନା ମିିଳିନଥିବା ଜଣାପଡ଼ିଛି। ହେଲେ ଜବତ ହୋଇଥିବା ଦସ୍ତାବିଜ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଏକାଠି କରି ସିବିଆଇ ଏହି ମାମଲାରେ ଚେର ଖୋଜିବାକୁ ଚେଷ୍ଟା କରୁଛି।

ସୂଚନାଯୋଗ୍ଯ, ଏମ୍ସରେ ଔଷଧ ଯୋଗାଣ ପାଇଁ ଭୁବନେଶ୍ୱର ପକ୍ଷରୁ ଅକ୍ଟୋବର ୨୦୨୦ରେ ୨୪ ଘଣ୍ଟିଆ ଫାର୍ମାସୀ ଷ୍ଟୋର ବା କେମିଷ୍ଟ ଦୋକାନ ଚଳାଇବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ରୋଗୀମାନଙ୍କୁ ଡାକ୍ତରମାନଙ୍କ ବୈଧ ପ୍ରେସକ୍ରିପସନ ଆଧାରରେ ଏବଂ ଅନୁମୋଦିତ ନିର୍ଦ୍ଦିଷ୍ଟ ରିହାତି ଦରରେ ଔଷଧ ଯୋଗାଇବା ହେଉଛି ଏହାର ଉଦ୍ଦେଶ୍ୟ।

ତେବେ ଯିଏ ନିଲାମରେ ଅଂଶଗ୍ରହଣ କରିବେ ତାଙ୍କ ପାଇଁ ଏହି ବିଭାଗରେ ଅତିକମରେ ୫ ବର୍ଷର ଅଭିଜ୍ଞତା ରହିବା ସହିତ ଅନ୍ୟାନ୍ୟ ସର୍ତ୍ତ ରହିଛି।

ନିକଟରେ ଭେଷଜ ନିୟନ୍ତ୍ରକ ଫାର୍ମାସୀ ଷ୍ଟୋରରେ ଚଢାଉ କରିଥିଲା। ଏହାପରେ ସିବିଆଇ ରେଡ୍ କରିଛି। କିଛି ବରିଷ୍ଠ ଅଧିକାରୀଙ୍କୁ ଜେରା କରିବାକୁ ସିବିଆଇ ସମନ କରିପାରେ।

Comments are closed.