ନବରଙ୍ଗପୁର: ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜଣେ ମହିଳା ମୁଖ୍ୟ କିରାଣୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ତାଙ୍କ ସିଟରୁ ଠେଲି ଦେଇଛନ୍ତି। ଡାବୁଗାଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଶନିବାର ଏହି ଘଟଣା ଘଟିଛି। କୌଣସି କାରଣକୁ ନେଇ ସିଡିପିଓ ଗୀତାଞ୍ଜଳି ମହାରଣା ଓ ମୁଖ୍ୟ କିରାଣୀ ସନ୍ତୋଷୀ ମିଶ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। କଥା କଟାକଟି ବଢ଼ି ଯାଇଥିଲା, ଫଳରେ ସିଡିପିଓ ନିଜ ପଦର ଗାରିମା ଦେଖାଇବାକୁ ଯାଇ କିରାଣୀ ସନ୍ତୋଷୀ ମିଶ୍ରଙ୍କୁ ଠେଲି ଦେଇଥିବାର ଭିଡିଓ ଏବେ ଭାଇରାଲ ହେଉଛି।
କାର୍ଯ୍ୟାଳୟରେ ଉପସ୍ଥିତ କର୍ମଚାରୀମାନେ ଗୀତାଞ୍ଜଳି ମହାରଣାଙ୍କୁ ସନ୍ତୋଷୀ ମିଶ୍ରଙ୍କ ପ୍ରତି ଦୁର୍ବ୍ୟବହାର କରିବାରୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୀତାଞ୍ଜଳି ମହାରଣା ସେମାନଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଏପରିକି ମୁଖ୍ୟ କିରାଣୀଙ୍କୁ ଗାଳିଗୁଲଜ କରିଥିଲେ। ଅଫିସରେ କେହି ଜଣେ ଏହି ପୂରା ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି। ଏହି ଭିଡିଓ ଭାଇରାଲ ହେବା ପରେ ସିଡିପିଓଙ୍କ ବ୍ୟବହାରକୁ ନେଇ ଚାରିଆଡେ ସମାଲୋଚନା ହେଉଛି।
ମୁଖ୍ୟ କିରାଣୀ ଅଭିଯୋଗ କରିଛନ୍ତି ଯେ ସିଡିପିଓ ତାଙ୍କୁ କହିଥିଲେ ଯେ ସେ ଧର୍ମଘଟରେ ଭାଗ ନେଇଛନ୍ତି। ତେଣୁ ତାଙ୍କର ସେହି ଦିନକୁ ଛୁଟି ଭାବେ ଚିହ୍ନଟ କରାଯିବ। ସନ୍ତୋଷୀ ମିଶ୍ର ଗୀତାଞ୍ଜଳି ମହାରଣାଙ୍କୁ ଅଫିସକୁ ଆସି ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତ କରିବା କଥା କହିବାରୁ ମହାରଣା ତାଙ୍କୁ ଚେୟାରରୁ ଠେଲି ଦେଇ ତାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ।
ସନ୍ତୋଷୀ ମିଶ୍ରଙ୍କୁ ତାଙ୍କ ଚେୟାରରୁ ଠେଲିଦେବା ଅଭିଯୋଗକୁ ମହାରଣା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସନ୍ତେଷୀ ମିଶ୍ର ତାଙ୍କୁ ତାଙ୍କ ଦରମା ପ୍ରସଙ୍ଗକୁ ନେଇ ଉଚ୍ଚ ସ୍ୱରରେ ପଚାରିଥିଲେ। ବୈଠକ ଚାଲିଥିବା ବେଳେ ମହାରଣା କହିଥିଲେ ସନ୍ତୋଷୀ ମିଶ୍ରଙ୍କୁ କକ୍ଷ ଛାଡ଼ି ଚାଲିଯିବାକୁ କହିଥିଲେ। ହେଲେ ସନ୍ତୋଷୀ ମିଶ୍ର ବସି ରହିଥିଲେ। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।
Comments are closed.