ନୂଆଦିଲ୍ଲୀ: ଥରକୁ ଥର ବଦଳୁଛି ସରକାରଙ୍କ ନିୟମ । ପୂର୍ବରୁ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ ହୋଇଥିବା ବେଳେ ଏବେ ଭୋଟର କାର୍ଡ ସହ ମଧ୍ୟ ଆଧାର କାର୍ଡକୁ ଲିଙ୍କ୍ କରାଯିବ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣର ସିଇଓଙ୍କୁ ଭେଟିବେ। ଏହି ବୈଠକରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ।
ସୂଚନା ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନ ଆସନ୍ତା ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ ଏବଂ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣର ଉଚ୍ଚ ଅଧିକାରୀଙ୍କ ସହିତ ଏକ ବୈଠକ କରି ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ଲିଙ୍କ୍ କରିବା ପ୍ରସଙ୍ଗରେ ଆଲୋଚନା କରିବେ । ଦେଶର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ଆଣିଥିଲା ବିରୋଧୀ ତୃଣ ମୁଳ କଂଗ୍ରେସ । ସେମାନଙ୍କର ଅଭିଯୋଗ ପରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦେଶର ସମସ୍ତ ଜିଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ ୮୦୦ ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ ୫୦୦୦ ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ ୩୧ ସୁଦ୍ଧା ର୍ନିବାଚନ କମିଶନରଙ୍କୁ ପ୍ରଦାନ କରାଯିବ।
୨୦୨୧ ମସିହାରେ ୧୯୫୧ ମସିହାର ଜନପ୍ରତିନିଧି ଆଇନରେ ସଂଶୋଧନ ପରେ, ଆଧାର କାର୍ଡକୁ ଭୋଟର ପରିଚୟ ପତ୍ର ଅର୍ଥାତ୍ EPIC ସହିତ ଲିଙ୍କ୍ କରିବାକୁ ଅନୁମତି ଦିଆଯାଇଥିଲା। ଏହା ପରେ ୨୦୨୨ ମସିହାରେ ନିର୍ବାଚନ କମିଶନ ସ୍ୱେଚ୍ଛାକୃତ ଭାବରେ ଭୋଟରଙ୍କଠାରୁ ଆଧାର ନମ୍ବର ସଂଗ୍ରହ କରିବା ଆରମ୍ଭ କରିଥିଲେ। ତଥାପି, ନିର୍ବାଚନ କମିଶନ (EC) ଏପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନରେ ଆଧାର ନମ୍ବର ବ୍ୟବହାର କରିନାହାଁନ୍ତି। ଏହାର ଉଦ୍ଦେଶ୍ୟ ଥିଲା ନିର୍ବାଚନ ତାଲିକାରେ ଭୋଟରଙ୍କ ନକଲ ପଞ୍ଜିକରଣ ଚିହ୍ନଟ କରିବାରେ କମିଶନକୁ ସହାୟତା କରିବା। ତେବେ ଭୋଟରଙ୍କ ପାଇଁ ଆଧାର-EPIC ଲିଙ୍କିଂ ବାଧ୍ୟତାମୂଳକ କରାଯାଇ ନାହିଁ।