Latest Odisha News

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଆକର୍ଷଣ କର୍ଣ୍ଣାଟକୀ ସଙ୍ଗୀତ

ଭୁବନେଶ୍ୱର: ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା । ପ୍ରଖ୍ୟାତ କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଡକ୍ଟର ଓଏସ୍‍ ଅରୁଣ ଓ ତାଙ୍କ ସହଯୋଗୀ ଶିଳ୍ପୀଙ୍କ ଆଭିମୁଖ୍ୟରେ କର୍ଣ୍ଣାଟକୀ କଣ୍ଠସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରବିନ୍ଦ୍ର ମଣ୍ଡପରେ।

ଏହି ନୃତ୍ୟ, ସଙ୍ଗୀତ ଏବଂ ସମ୍ମାନ ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଯାଜପୁର ଲୋକସଭା କ୍ଷେତ୍ରର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ, ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ତଥା ସଙ୍ଗୀତ ରଚୟିତା ଗୁରୁ (ଡକ୍ଟର) ମହେଶ୍ୱର ରାଓ, ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ତଥା ସଙ୍ଗୀତ ରଚୟିତା ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା ପରିବେଷଣ (ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ)ର ଅଧ୍ୟାପକ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ବିଭାଗର ଅଧ୍ୟାପକ ପ୍ରଫେସର (ଡକ୍ଟର) ରବିନାରାୟଣ ଶତପଥୀ, ବରିଷ୍ଠ ଆଇନଜୀବି ତଥା ରାଜନେତା ପ୍ରିୟରଞ୍ଜନ ଦାସ ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ତୃତୀୟ ସନ୍ଧ୍ୟାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କର୍ଣ୍ଣାଟକୀ କଣ୍ଠଶିଳ୍ପୀ କଲାଇମାମଣି ଓଏସ୍‍ ଅରୁଣଙ୍କ ଦ୍ୱାରା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷିତ ହୋଇଥିଲା। ତାଙ୍କ ସହିତ ବାଦ୍ୟଯନ୍ତ୍ର ବେହେଲାରେ ଡକ୍ଟର ବୈଦ୍ରୀନାରାୟଣନ୍‍, ମୃଦଙ୍ଗମ୍‍ରେ ଏମ୍‍ଏସ୍‍ ଭେଙ୍କଟସୁବ୍ରମଣ୍ୟମ୍‍ ଏବଂ ତବଲାରେ ଇ. ମାର୍ଟିନ୍‍ ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତ୍ରୟୋଦଶ ବର୍ଷର ସମ୍ମାନ ଉତ୍ସବରେ ଏହି ବିଶିଷ୍ଟ ସଙ୍ଗୀତଜ୍ଞ ମାନଙ୍କର ସୁସଙ୍ଗତ ସମନ୍ୱୟରେ କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ ଉତ୍ସବଟିକୁ ଦ୍ୱିଗୁଣିତ କରିଥିଲା। ଓଏସ୍‍ ଅରୁଣଙ୍କ ପରିବେଷଣରେ ତାଙ୍କର କଣ୍ଠର ଯାଦୁକରୀ ସ୍ପର୍ଶ ସହିତ ଭକ୍ତିର ମହତ୍ୱକୁ ଶାସ୍ତ୍ରୀୟତା ସହିତ ମିଶ୍ରଣ କରିଥିଲା ଯାହାକୁ ଦର୍ଶକ ବେଶ୍‍ ପସନ୍ଦ କରିଥିଲେ।

ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ସଂକଳ୍ପିତ ଏବଂ ପରିକଳ୍ପନା କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।

Comments are closed.