ସମ୍ବଲପୁର: ସମ୍ବଲପୁରରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ସମ୍ବଲପୁର ଯାଇଛନ୍ତି ବିଜେପିର ୪ ଜଣିଆ ଟିମ୍ । ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହି ଟିମ ରାଜ୍ୟ ସରକାର ଏବଂ ସ୍ଥାନୀୟ ପୋଲିସ ଉପରେ ବର୍ଷିଛନ୍ତି ।
ଆଜି ଏହି ଟିମ୍ ସୋମବାର ସମ୍ବଲପୁରରେ ପହଞ୍ଚିଥିଲେ । ଆଜି ସକାଳୁ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡାରେ ପହଞ୍ଚି ତାଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ଘରେ ତାଲା ପଡ଼ିଥିବାରୁ ପରିବାର ସହ ସାକ୍ଷାତ ହୋଇ ପାରି ନ ଥିଲା । ତେବେ ଏହି ଟିମ ପାଖ ପଡ଼ୋଶୀଙ୍କ ସହ ଆଲୋଚନା କରିଥିଲେ।
ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗଠିତ କମିଟିରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି। ଏହାଛଡ଼ା ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତାରାୟ ପ୍ରମୁଖ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ। ଏହି ଟିମ୍ ସମ୍ବଲପୁର ଗସ୍ତ କରି ତଥ୍ୟ ସମ୍ବଳିତ ରିପୋର୍ଟ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବ।
ଟିମରେ ଥିବା ସାଂସଦ ବ୍ରିଜଲାଲ ଅଭିଯୋଗ କରିଛନ୍ତି, ଏହି ହିଂସାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରୋତ୍ସାହନ ଦିଆ ଯାଇଥିଲା ଏବଂ ଏହା ରାଜ୍ୟ ସରକାରଙ୍କର ଏକ ବିଫଳତା ବୋଲି କୁହାଯାଇ ପାରିବ ।
Comments are closed.