Latest Odisha News

ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର । ସ୍ୱରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ । ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ । ଏକାଡେମୀ ପୁରସ୍କାର ପାଇବା ନେଇ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ମୋର କାବ୍ୟକୁ ସ୍ୱୀକୃତି ମିଳିଛି । ଖୁସି ହେବା ସ୍ୱାଭାବିକ । ଏହି ପୁରସ୍କାର ଏକ ପ୍ରେରଣା । ମୃତ୍ୟୁ କାହିଁକି ଅପ୍ରସ୍ତୁତ । ବଞ୍ଚି ରହିବା ପାଇଁ ସଂଘର୍ଷ ଓ ଦ୍ୱନ୍ଦ୍ୱ ଭିତରେ ରହି ମଣିଷ ଚେଷ୍ଟା କରିଥାଏ । ମୃତ୍ୟୁ ବାରମ୍ବାର ପରାସ୍ତ ହୁଏ । ମଣିଷର ଜିଜୀବିଷା ଆଗରେ ମୃତ୍ୟୁ ଅପ୍ରସ୍ତୁତ ହୋଇପଡ଼େ । ମୃତ୍ୟୁକୁ ଅତିକ୍ରମ କରି ମଣିଷ ବଞ୍ଚିିବାକୁ ଚାହେଁ । ମାନବବାଦୀ ଭାବନା ଓ ମୃତ୍ୟୁ ସମ୍ପର୍କିତ କବିତାଗୁଡ଼ିକ ଏହି ପୁସ୍ତକରେ ରହିଛି ।

ପୁସ୍ତକଟି ୨୦୨୦ ମସିହାରେ ପ୍ରକାଶିତ ହୋଇଥିଲା । ଏକାଡେମୀ ପକ୍ଷରୁ ୨୪ଟି ଭାଷାରେ ପୁରସ୍କାର ଘୋଷଣା କରାଯାଇଛି । ସେଥିମଧ୍ୟରୁ ୯ଟି କବିତା ପୁସ୍ତକ, ୬ଟି ଉପନ୍ୟାସ, ୫ଟି କ୍ଷୁଦ୍ରଗଳ୍ପ, ୩ଟି ପ୍ରବନ୍ଧ ଓ ଗୋଟିଏ ଲିଟେରାରୀ ଷ୍ଟଡି ରହିଛି । ଆଞ୍ଚଳିକ ଭାଷା ଓଡ଼ିଆରେ ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ, ପ୍ରଫେସର କାଳିଦାସ ମିଶ୍ର ଓ ରାଜେନ୍ଦ୍ର କିଶୋର ପଣ୍ଡା ରହିଥିଲେ । ଆସନ୍ତା ବର୍ଷ ମାର୍ଚ୍ଚ ୧୨ରେ ନୂଆଦିଲ୍ଲୀସ୍ଥିତ କମନ ଅଡିଟୋରିୟମ୍‌ରେ ଏହି ପୁରସ୍କାର ପ୍ରାଦନ କରାଯିବ ।

ଆଶୁତୋଷ ପରିଡ଼ା ୧୯୪୬ ଫେବୃୟାରୀରେ କେନ୍ଦ୍ରାପଡ଼ା ଜିଲାରେ ଜନ୍ମଗ୍ରହଣ କରିଥିଲେ । ସେ ରାଉରକେଲାର ଆରଇସିରେ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଥିଲେ । ପରେ ସେ ଭୁବନେଶ୍ୱର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବେଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ । କେବଳ ଜଣେ ବରିଷ୍ଠ ବୈଜ୍ଞାନିକ ନୁହନ୍ତି, କବି ଭାବେ ମଧ୍ୟ ସେ ସୁପ୍ରତିଷ୍ଠିତ । ସେ ଯୁକ୍ତ ଯାତନା, ଇପ୍‌ସିତ କ୍ରୋଧ, ଚଣ୍ଡାଳ, ଶବ୍ଦଭେଦୀ ଭଳି କବିତା ପୁସ୍ତକ ରଚନା କରିଛନ୍ତି । କବିତା ସଙ୍କଳନ ଇପ୍‌ସିତ କ୍ରୋଧ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କର ବହୁ କବିତା ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅନୁବାଦିତ ହୋଇଛି ।

Comments are closed.