Latest Odisha News

ରାଜ୍ୟର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବର : ଓଡିଶାର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ରାଜ୍ୟରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁଯାୟୀ, ପିଏମ କେୟାର ପାଣ୍ଠିରୁ ଓଡ଼ିଶାର ୮ଟି ଜିଲ୍ଲାରେ ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ରାଜ୍ୟର ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡିଆରଡିଓ ଦ୍ବାରା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ୟାପଟିଭ୍ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ-19 ବିରୋଧୀ ଲଢ଼େଇକୁ ସଶକ୍ତ କରିବା ସହ ସ୍ବାସ୍ଥ୍ୟ ଆହ୍ବାନଗୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ମେଡ଼ିକାଲ ଅକ୍ସିଜେନର ଉପଲବ୍ଧିକୁ ଗତି ଦେବା ପାଇଁ ତଥା ମହାମାରୀ ମୁକବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ପୂର୍ବରୁ ଭାରତ ସରକାରଙ୍କ ଦ୍ବାରା ପିଏମ କେୟାର ଫଣ୍ଡରୁ ଅନୁଗୁଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି । କରୋନା ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟର ପିଏସୟୁ ଓଡ଼ିଶାର ୭ଟି ସ୍ଥାନ ଯଥା ବରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର ଏବଂ ରାଉରକେଲାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।

Comments are closed.