Latest Odisha News

ଆମ୍ବେଦକର ଜୟନ୍ତୀ: ୧୪ ଏପ୍ରିଲ ସରକାରୀ ଛୁଟି

ନୂଆଦିଲ୍ଲୀ: ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ୧୪ ଏପ୍ରିଲକୁ ସାଧାରଣ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମ୍ବିଧାନର ସ୍ଥପତି, ସମାଜରେ ସମାନତାର ଏକ ନୂତନ ଯୁଗ ପ୍ରତିଷ୍ଠା କରିଥିବା ବ୍ୟକ୍ତି, ଆମର ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଜୀଙ୍କ ଜନ୍ମ ବାର୍ଷିକୀରେ ସରକାରୀ କ୍ଷେତ୍ରରେ ସାଧାରଣ ଛୁଟି ରହିବ। ଏହି ନିଷ୍ପତ୍ତି ନେଇ ବାବା ସାହେବଙ୍କ ଜଣେ ଉତ୍ସର୍ଗୀକୃତ ଅନୁଗାମୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାବନାକୁ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ।

ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ନେଇଥିଲେ । ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଆସିଥିଲେ । ଏଲପିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରି ଆମ୍ବେଦକର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ । ଏହାପରେ ୧୯୧୭ରେ ଭାରତ ଫେରି ଅଧ୍ୟାପନା କରିଥିଲେ ତେବେ ପରେ ଅଧ୍ୟପନା ଛାଡି ଓକିଲାତି କରିଥିଲେ । ଏହି ସମ.ରେ ସେ ଦଲିତ ଅଦିକାର ପାଇଁ ଆନ୍ଦେଳନ ଆରମ୍ଭ କରିଥିଲେ । ସମ୍ବିଧାନର ଖସଡା ପ୍ରସ୍ତୁତି ଏବଂ ଅଛୁଆଁ ଭେଦଭାବକୁ ଦୂର କରିବାରେ ତାଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବରେ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

Comments are closed.