Latest Odisha News

BREAKING NEWS

ରାହୁଲଙ୍କ ଦ୍ବୈତ ନାଗରିକତା ମାମଲା; ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି।ଅର୍ଥାତ ଏହାର  ପରବର୍ତ୍ତୀ ଶୁଣାଣି ୨୧ ଏପ୍ରିଲ ୨୦୨୪ ଧାର୍ଯ୍ୟ କରାଯାଇଅଛି। ଯଦିଓ ଗୃହ ମନ୍ତ୍ରଣାଳୟ ଏଥିପାଇଁ ଆଠ ସପ୍ତାହ ସମୟ ମାଗିଥିଲେ।

ଭାରତୀୟ ଆଇନ ଅନୁଯାୟୀ, ଦ୍ୱୈତ ନାଗରିକତା ଗ୍ରହଣୀୟ ନୁହେଁ ଅର୍ଥାତ ଯଦି ଜଣେ ଭାରତୀୟ ନାଗରିକଙ୍କ ପାଖରେ ଅନ୍ୟ ଦେଶର ନାଗରିକତା ଉପଲବ୍ଧ ଥାଏ। ତାହେଲେ ଭାରତୀୟ ନାଗରିକତା ସ୍ୱୟଂଚାଳିତ ନିୟମ ଅନୁଯାୟୀ ସେହି ବ୍ୟକ୍ତିଙ୍କର ଭାରତୀୟ ନାଗରିକତା ବାତିଲ ହୋଇଯାଏ।

କର୍ଣ୍ଣାଟକର ବାସିନ୍ଦା ଶିଶିରଙ୍କ ଦ୍ୱାରା ଏହି ମାମଲା ଦାୟର  କରାଯାଇଥିଲା ଓ ସେ ଏଥିପାଇଁ ସିବିଆଇ ଯାଞ୍ଚ ମଧ୍ୟ ଦାବି କରିଛନ୍ତି।ରାହୁଲ ଗାନ୍ଧୀଙ୍କ ପାଖରେ ନୂତନ ପରିଚୟ ପ୍ରମାଣପତ୍ର ସହ ୟୁକେ ସରକାରଙ୍କଠାରୁ ପ୍ରାପ୍ତ ଡକ୍ୟୁମେଣ୍ଟ ଏବଂ ଇମେଲ୍ ଥିବାର ସେ ଅଭଯୋଗ କରିଛନ୍ତି।

ତେବେ ଏହାର ଶେଷ ଶୁଣାଣିରେ ଅର୍ଥାତ ଗତ ନଭେମ୍ବର ୨୦୨୩ରେ ଗୃହ ମନ୍ତ୍ରଣାଳୟକୁ ଏହି  ଆବେଦନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ପୂର୍ବରୁ ମଧ୍ୟ ପୂର୍ବତନ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ୨୦୧୯ ମସିହାରେ ଦିଲ୍ଲୀ ହାଇକୋର୍ଟରେ ଏହି ସମାନ ଆବେଦନ ଦାଖଲ କରିଥିଲେ।

ଅପରପକ୍ଷରେ କଂଗ୍ରେସ ଆରମ୍ଭରୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସିଛି। ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ  ରାହୁଲ ଭାରତରେ ଜନ୍ମ ଗ୍ରହଣ କରି ଏହିଠାରେ ହିଁ ଛୋଟରୁ ବଡ ହୋଇଛନ୍ତି ଓ ସେ ଭାରତୀୟ ଅଟନ୍ତି। ଏସବୁ ଏକ ଷଡଯନ୍ତ୍ର ଓ ଏହା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାର ଏକ ପ୍ରୟାସ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.