ନୂଆଦିଲ୍ଲୀ: କୋଭିଡ୍ ଭୟ ମନରୁ ଯାଇ ନଥିବାବେଳେ ବର୍ତ୍ତମାନ ଡରାଇଲାଣି H3N2 ଇନଫ୍ଲୁଏଞ୍ଜା। ତେଣୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କୋଭିଡ ବିରୋଧୀ ୫ଟି ସୂତ୍ରୀ ନିୟମ ପାଳନ କରିବାକୁ ଲେଖିଛନ୍ତି। ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟିକାକରଣଟିକୁ ଜାରି ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନରେ ମୁହଁ ଓ ନାକକୁ ଘୋଡ଼ାଇ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।
ସେପଟେ ରାଜ୍ୟରେ H3N2 ଭୂତାଣୁରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଜାନୁଆରୀ ଓ ଫେବୃଆରୀରେ ସଂଗୃହୀତ ୨ଶହ ସାମ୍ପଲ ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଥିବା ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁ ପରେ ଆଡେନୋଭାଇରସ୍ ଏବଂ ସ୍ୱାଇନ୍ ଫ୍ଲୁ ଭଳି ରୋଗ ବ୍ୟାପିବାରେ ଲାଗିଛି। ସ୍ୱାଇନ୍ ଫ୍ଲୁର ସବ କ୍ୟାଟାଗୋରୀ ହେଉଛି H3N2 ଭୂତାଣୁ। କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ ବାରମ୍ବାର ଛିଙ୍କିବାରେ ଅଧିକାକଂଶ ଲୋକ ପୀଡ଼ିତା। ବିଶେଷକରି ଉତ୍ତର ଭାରତ ଅଞ୍ଚଳରେ ଏହି ଫ୍ଲୁ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଦେଖିବାକୁ ମିଳିଛି। ଏହି ରୋଗ ବ୍ୟାପିବା ପଛରେ H3N2 ଭୂତାଣୁ ରହିଛି ବୋଲି ବିଶେଷଜ୍ଞ କହିଛନ୍ତି। H3N2 ଜୀବାଣୁର ଲକ୍ଷଣ ମଧ୍ୟରେ କାଶ, ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା, ଜ୍ୱର, ଥଣ୍ଡା, ଥକାପଣ, ଝାଡ଼ା ଏବଂ ବାନ୍ତି ଇତ୍ୟାଦି।
କୌଣସି ପ୍ରକାର ଭାଇରାଲ୍ ସଂକ୍ରମଣକୁ ରୋକିବା ପାଇଁ ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ୱାଶରେ ନିୟମିତ ଭାବରେ ହାତ ସଫା କରିବା ଉଚିତ। ଅସୁସ୍ଥ ଥିବା ଲୋକଙ୍କ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ଛିଙ୍କନ୍ତି କିମ୍ବା କାଶୁଛନ୍ତି, ତେବେ ରୁମାଲ ବ୍ୟବହାର କରନ୍ତୁ କିମ୍ବା ଏପରି କରିବା ସମୟରେ ପାଟି ଘୋଡାଇ ରଖନ୍ତୁ। ଜ୍ୱର, କାଶ କିମ୍ବା ମୁଣ୍ଡବିନ୍ଧା ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ନିୟମିତ ଗ୍ରହଣ କରାଯିବା ଉଚିତ୍। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କିଛି ଆଣ୍ଟିବାୟୋଟିକ୍ ଖାଆନ୍ତୁ ନାହିଁ।
Comments are closed.