Latest Odisha News

BREAKING NEWS

ରାଜ୍ୟରେ ୫୦୦ ଡାକଘର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଡାକ ଘର ଆପଣଙ୍କ ସେବା ଘର । ଏହି ସେବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ରାଜ୍ୟରେ ୫୦୦ରୁ ୬୦୦ ଡାକଘର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ପୁରୀ ଜିଲ୍ଲା ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡାକ ଶାଖା କାର୍ଯ୍ୟାଳୟ’ର ଉଦଘାଟନ କରିବା ଅବସରରେ ଏପରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ପୂର୍ବୋଦୟ କଳ୍ପନା’ରେ ଭାରତ ସରକାର ଓଡ଼ିଶାରେ ନୂଆ ନୂଆ ଡାକ କାର୍ଯ୍ୟାଳୟ ଖୋଲିବା ସହ ବିକଶିତ କରୁଛନ୍ତି । ଡାକ ଘରକୁ କମ୍ପ୍ୟୁଟିକରଣ କରିବା ସହ ଅତ୍ୟାଧୁନିକ କରାଯାଉଛି । ଆଜି ଉଦଘାଟିତ ପୋଷ୍ଟ ଅଫିସ ହେଉଛି ଓଡ଼ିଶାର ୭,୬୯୬ତମ ଶାଖା କାର୍ଯ୍ୟାଳୟ । ଏହି ପୋଷ୍ଟ ଅଫିସ ବ୍ୟାଙ୍କ୍ ଭଳି କାମ କରିବ । ସାଧାରଣ ନାଗରିକଙ୍କୁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କ୍ ସେବା ପ୍ରଦାନ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକମାନଙ୍କ ପାଖରେ ପହଞ୍ଚାଯିବା ଲକ୍ଷ୍ୟରେ ଏହି କାର୍ଯ୍ୟ କରିବ । ଏହି ‘ସେବାଘର’ ଦ୍ୱାରା ଦୁର୍ଗାଦାସପୁର ସମେତ ଆଖପାଖ ୭ଟି ଗ୍ରାମର ୫ ହଜାରରୁ ଲୋକମାନେ ଉପକୃତ ହେବେ । ଏଥିପାଇଁ ଶ୍ରୀ ପ୍ରଧାନ ଦୁର୍ଗାପୁର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ଧନ୍ୟବାଦ ଜଣାଇଛନ୍ତି ।

ମୋଦୀ ସରକାରରେ ଓଡ଼ିଶା ଏବଂ ଭାରତରେ ହେଉଥିବା ବିକାଶର କଥା ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ଦେଶରେ ଚଉମୁଖୀ ବିକାଶ ହୋଇଛି । ପୂର୍ବ ସରକାରର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ଦୁର୍ଗାଦାସପୁର ଭଳି ଚଷାଚାଷୀ ଓ କୃଷି ପ୍ରଧାନ ଅଞ୍ଚଳକୁ ଆଗକୁ ନେବାର ଦାୟିତ୍ୱ ନେଇଛନ୍ତି । ଗରିବଙ୍କ ସମେତ ଚାଷୀଙ୍କ କଲ୍ୟାଣ ପାଇଁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

Comments are closed.