Latest Odisha News

BREAKING NEWS

ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ’ ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି ।

ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି । ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି ପାଇଛି ।

ଅଣ- ବାସମତୀ ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ୦୮.୦୯.୨୦୨୨ ରେ ଲାଗୁ କରାଯାଇଥିଲା । ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୩୩.୬୬ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୧-୨୨) ରୁ ୪୨.୧୨ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୨-୨୩) କୁ ବୃଦ୍ଧି ପାଇଥିଲା । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ରେ, ଏହି ପ୍ରକାରର ଚାଉଳ ରପ୍ତାନି ପ୍ରାୟ ୧୫.୫୪ ଏଲଏମଟି ରହିଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ସମୟରେ କେବଳ ୧୧.୫୫ ଏଲଏମଟି ଥିଲା, ଅର୍ଥାତ୍‍ ଏହା ୩୫% ବୃଦ୍ଧି ପାଇଛି । ରପ୍ତାନିରେ ଏହି ଦ୍ରୁତ ଅଭିବୃଦ୍ଧି ଅର୍ନ୍ତଜାତୀୟ ବଜାରରେ ଦରବୃଦ୍ଧି, ଭୂ-ରାଜନୈତିକ ପରିସ୍ଥିତି, ଏଲ୍ ନିନୋ ପ୍ରଭାବ ଏବଂ ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶରେ ପ୍ରତିକୂଳ ଜଳବାୟୁ ପରିସ୍ଥିତିର କାରଣକୁ ଦାୟୀ କରାଯାଉଛି ।

ଅଣ- ବାସମତୀ ଧଳା ଚାଉଳ ଦେଶରୁ ରପ୍ତାନି ହୋଇଥିବା ମୋଟ ଚାଉଳର ପ୍ରାୟ ୨୫% ଅଟେ । ଅଣ- ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଦେଶରେ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ କରିବ ।

ଅବଶ୍ୟ, ଚାଉଳ ରପ୍ତାନୀର ସିଂହ ଭାଗ ଥିବା ଅଣ ବାସମତି ଚାଉଳ (ଉଷୁନା ଚାଉଳ) ଏବଂ ବାସମତି ଚାଉଳର ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ନିଶ୍ଚିତ କରିବ ଯେ କୃଷକମାନେ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅନୁଯାୟୀ ଲାଭ ପାଇବା ଜାରି ରଖିବେ ।

Leave A Reply

Your email address will not be published.